ଭିନ୍ନକ୍ଷମଙ୍କ ପାଇଁ ଚିହ୍ନଟ ଓ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା – ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୁଲ୍ୟରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ପୈାର ଟାଉନହଲ ପରିସରରେ ଥାଲାସେମିଆ, ହିମୋଫିଲିଆ ଓ ସିକିଲ ସେଲ ଭୋଗ କରୁଥିବା ଭିନ୍ନକ୍ଷମମାନଙ୍କ ନିମନ୍ତେ ଚିହ୍ନଟ ଓ ସଚେତନତା ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଏକ ଥାଲାସେମିଆ ପିଡିତ ଶିଶୁ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବର୍ମା ପିଡିତ ଭିନ୍ନକ୍ଷମ ଶିଶୁମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ଉପଯୁକ୍ତ ଚିକିତ୍ସା କରିବା ସହିତ ପ୍ରମାଣପତ୍ର ଏବଂ ଭତ୍ତା ପ୍ରଦାନ କରିବା ପାଇଁ ଏହି ଶିବିର ଉଦ୍ଦିଷ୍ଟ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର,ଶିଶୁ ରୋଗ ବିଶେଷଜ୍ଞ ଡା.ଆନନ୍ଦ ଗୋପାଳ ମହାନ୍ତି,ଡା.ନିରଞ୍ଜନ ବେହେରା ପ୍ରମୁଖ ଉଦବୋଧନରେ ସଦର ମହକୁମା ଡାକ୍ତରଖାନାରେ ପ୍ରତ୍ୟେକ ମାସର ପ୍ରଥମ ଦିବସ ଓ ପ୍ରତ୍ୟେକ ସପ୍ତାହର ଶୁକ୍ରବାର ଦିନ ରୋଗ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସମ୍ପର୍କରେ କହିଥିଲେ । ଜିଲ୍ଲାରେ ଥାଲାସେମିଆ ପିଡିତ ଶିଶୁ ଥିବାରୁ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସେମାନଙ୍କ ଲକ୍ଷ୍ୟ ବୋଲି କହିଥିଲେ । ଶରୀରରେ ଥିବା ରକ୍ତରେ ଲୋହିତ ରକ୍ତ କଣିକା ସୃଷ୍ଟି ହୋଇ ନଷ୍ଟ ହୋଇଥାଏ । ଏହି ରକ୍ତ କଣିକା ଶରୀରରେ ୧୨୦ଦିନ ପର୍ଯ୍ୟନ୍ତ ଜୀବିତ ରହେ । ଜିନ ସମ୍ବନ୍ଧିୟ ବ୍ୟତିକ୍ରମ ହେତୁ ଏହା ୩ରୁ ୪ଦିନ ମଧ୍ୟରେ ନଷ୍ଟ ହୋଇଯାଇଥାଏ । ଫଳରେ ଶରୀରରେ ରକ୍ତହୀନତା ଦେଖାଦିଏ । ଥାଲାସେମିଆ ରୋଗ ସାଧାରଣତଃ ବଂଶଗତ ହୋଇଥାଏ । ତାହା ବାପା ଓ ମା’ଙ୍କ ଠାରୁ ଆସିଥାଏ । ଏହି ରୋଗୀକୁ ମଝିରେ ମଝିରେ ରକ୍ତ ଦେବାକୁ ପଡିଥାଏ । ଶରୀରରେ ଲୈାହ ଅଂଶ ଗଛିତ ହେଉଥିବାରୁ ଶରୀରରେ କଳାଦାଗମାନ ହୋଇଥାଏ । ସିକିଲ ସେଲ ରୋଗରେ ପିଡିତ ଶିଶୁର ଯକୃତ ବଢିଯାଏ । ଏହା ମଧ୍ୟ ଜିନ ସମ୍ବନ୍ଧିୟ ରୋଗ । ଓଡିଶାର ପଶ୍ଚିମାଚଂଳରେ ଏହି ରୋଗ ଦେଖାଯାଏ । ହିମୋଫିଲିଆ ରୋଗର ସାଧାରଣତ ରକ୍ତ ଜମାଟ ବାନ୍ଧିବା ଶକ୍ତି କମିଯାଏ । ଶିଶୁଟିର ଖଣ୍ଡିଆ ସ୍ଥାନରୁ ରକ୍ତ ବୋହିବା ବନ୍ଦ ହେବାକୁ ସମୟ ଲାଗିଥାଏ । ତେଣୁ ରୋଗୀ ଗୁରୁତ୍ତର ହୋଇପଡେ । ଶରୀର ଭିତରେ ରକ୍ତ କ୍ଷରଣ ହେଲେ ରୋଗୀ ମୃତ୍ୟୁ ବରଣ କରିଥାଏ । ଜିଲ୍ଲାରେ ଥାଲେସେମିଆ ରୋଗୀ ଥିବାରୁ ଏହି ଶିବିର ନିଶ୍ଚିନ୍ତ ସଫଳ ହେବ ଓ ଅନ୍ୟମାନଙ୍କୁ ପ୍ରେରଣା ଏବଂ ସଚେତନ କରିବ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ । ଥାଲେସେମିଆ କେୟାର ସୋସାଇଟିର ସଦସ୍ୟ ବିଜୟ ରାଉତ,ନିରାକାର ପଣ୍ଡା,ପ୍ରିତିଶ ପାତ୍ର,ଦୀପକ ଜାଲି ଓ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟନାଥ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରକୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ