ଭିନ୍ନକ୍ଷମମାନଙ୍କ ପାଇଁ ଜାତୀୟ ଚିଠା ନୀତି ସମ୍ପର୍କରେ ଆଲୋଚନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରୁଥିବା କେନ୍ଦ୍ରାପଡାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ “ପୁନର୍ବାସ” ପରିସରରେ କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମମାନଙ୍କ ପାଇଁ ଜାତୀୟ ଚିଠା ନୀତି ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଉପଦେଷ୍ଟା ଡଃ. ବିରଜା ପ୍ରସାଦ ରାଉତରାୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗଦେଇଥିବା ବେଳେ ନିମାଇଁ ଚରଣ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସ, ମହାକାଳପଡା ବ୍ଲକର ସମ୍ବଳ ଶିକ୍ଷକ ଶ୍ରୀଧର ଭୋଳ, ‘ପୁନର୍ବାସ’ ପରିବାରର ସଦସ୍ୟ ମହମ୍ମଦ ଜାହିଦ ଖାଁ, କ୍ଷିତିଶ କୁମାର ନାୟକ, କମଳାକାନ୍ତ ବେହେରା, ବଂଶୀଧର ମହାନ୍ତି, ଦୃଷ୍ଟିବାଧିତ ଭିନ୍ନକ୍ଷମ ଅଲେଖ ଚନ୍ଦ୍ର ଜେନା, ମାନସିକ ଅନଗ୍ରସର ଭିନ୍ନକ୍ଷମଙ୍କ ଅଭିଭାବକ କୈଳାସ ଚନ୍ଦ୍ର କର ପ୍ରମୁଖ ଯୋଗ ଦେଇ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ ସହ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ପ୍ରଥମେ ‘ପୁନର୍ବାସ’ର ସଂଯୋଜକ ସଞ୍ଜୀବ କୁମାର ଜେନା ସ୍ୱାଗତ ଭାଷଣ ସହ ଜାତୀୟ ଚିଠା ନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ମନୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରଞ୍ଜନ କୁମାର ସ୍ୱାଇଁ ସହଯୋଗ କରିଥିଲେ ।