ଭିନ୍ନକ୍ଷମ ଶିଶୁ ସର୍ଭେ ନିମନ୍ତେ ଏକ ଦିବସୀୟ ତାଲିମ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦେଶରେ ସାରା ରାଜ୍ୟରେ ଭିନ୍ନକ୍ଷମ ଶିଶୁମାନଙ୍କ ଘରକୁ ଘର ବୁଲି ସର୍ବେକ୍ଷଣ କାର୍ଯ୍ୟକ୍ରମ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ ଦିବସୀୟ ବ୍ଲକସ୍ତରୀୟ ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୁଭଲକ୍ଷ୍ମୀ ନାୟକ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶୂନରୁ ଛଅବର୍ଷ ବୟସ୍କ ପିଲାଙ୍କ ଚିହ୍ନଟରେ ସାମିଲ ହେଉଥିବା ତୃଣମୂଳସ୍ତରର ଅଙ୍ଗନୱାଡି କର୍ମୀମାନଙ୍କୁ ଆଜିର ତାଲିମ ପରେ ବ୍ଲକସ୍ତରରେ ସଠିକ୍‌ଭାବେ ୨୧ ପ୍ରକାର ଭିନ୍ନକ୍ଷମତା ଉପରେ ପ୍ରଶିକ୍ଷଣ ଦେବାକୁ ପରାମର୍ଶ ଦେଇଥିଲେ । ଯାହାଦ୍ୱାରା କି ଆରମ୍ଭରୁ ଚିହ୍ନଟ ହୋଇଥିବା ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଇ ସୁସ୍ଥ କିମ୍ବା ଆବଶ୍ୟକ ଉପଯୁକ୍ତ ସହାୟତା ଯୋଗାଇ ଦିଆଯାଇ ପାରିବ । ଏଥି ସହ ସରକାର ରଖିଥିବା ଭିନ୍ନକ୍ଷମ ଶତାଂଶ କମାଇବାର ଲକ୍ଷ୍ୟ ଯଥାର୍ଥରେ ପୂରଣ ହୋଇପାରିବ । ଅନ୍ୟତମ ଅତିଥି ମୁଖ୍ୟ ଚିକିତ୍ସା ଅଧିକାରିଣୀ ତାଙ୍କ ବକ୍ତବ୍ୟରେ ଜିଲ୍ଲାରେ କାମ କରୁଥିବା ଡିଆଇସି/ଆର୍‌ବିଏସ୍‌କେମାନଙ୍କୁ ଏ ସମ୍ପର୍କରେ ବୁଝାଇ ତୁରନ୍ତ କିଭଳି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସେମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇପାରିବ ଓ ସ୍ଥଳ ବିଶେଷରେ ସୁସ୍ଥ କରାଯାଇ ପାରିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଏହି ସର୍ବେକ୍ଷଣକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ସିଡିପିଓ ଓ ସୁପରଭାଇଜରମାନଙ୍କର ନିଷ୍ଠାପର ଉଦ୍ୟମ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଯାହାଦ୍ୱାରା କି ଆମେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ସଫଳତା ପାଇପାରିବା ବୋଲି କହିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସରକାରଙ୍କ ଲକ୍ଷ୍ୟ ଓ ଏହି କାର୍ଯ୍ୟକ୍ରମର ଉଦେଶ୍ୟ କିଭଳିଭାବରେ ବ୍ଲକସ୍ତରରେ ସହଜରେ କରାଯାଇପାରିବ ଓ ଜିଲ୍ଲାର ୨୨୯୦ଜଣ ଅଙ୍ଗନୱାଡି କର୍ମୀ ଘରକୁ ଘର ବୁଲି ସର୍ଭେକାମ କରିବା ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପରିଦର୍ଶିକାମାନେ ଏହାକୁ ଯାଞ୍ଚକରି ସିଡିପିଓଙ୍କ ଜରିଆରେ ସଂପୃକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଯୋଜନା ଥିବା ପ୍ରକାଶ କରିଥିଲେ । ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ଏହାର ଟାଡାବେସ ପ୍ରସ୍ତୁତ କରାଯାଇ ଅକ୍ଟୋବରମାସ ପ୍ରଥମ ସପ୍ତାହରେ ଜିଲ୍ଲାକୁ ଓ ପ୍ରତିକାର ନିମନ୍ତେ ସଂପୃକ୍ତ ବ୍ଲକର ସିଏଚସିକୁ ତାଲିକା ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୯ଟି ବ୍ଲକର ସିଡିପିଓ, ବିଏସଏସଓ, ବିଆରଟି ଓ ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରଶିକ୍ଷକମାନେ ତାଲିମ୍ ନେଇଥିଲେ । ଭଦ୍ରକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଆରଏସ୍‌ଆରର ତିନିଜଣ ପ୍ରଶିକ୍ଷକ ବିଷ୍ଣୁପ୍ରିୟା ମହାନ୍ତି, ଅଭିମନ୍ୟୁ ମଲ୍ଲିକ ଓ କମଳାକାନ୍ତ ବାରିକ କିଭଳିଭାବେ ୨୧ ପ୍ରକାର ଭିନ୍ନକ୍ଷମଙ୍କୁ ଜାଣିବେ ଓ ବୁଝିବେ ସେ ସମ୍ପର୍କରେ ପ୍ରାଞ୍ଜଳଭାବେ ବୁଝାଇବା ସହ ପ୍ରଶିକ୍ଷକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ