ଭିନ୍ନକ୍ଷମ ହେଲେ ବି ସକ୍ଷମ, ଅମ୍ବିକା ଦିଦି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟରେ କରୋନା ମହାମାରୀ ବ୍ୟାପୁଥିବା ଯୋଗୁଁ ସରକାର ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଘରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପଢ଼ା ବହି ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ବି ଦେଲେ। କେଉଁଠି ଶିକ୍ଷକ ବିଦ୍ୟାଳୟ କୁ ଡ଼ାକି ପିଲାଙ୍କୁ ବହି ବାଣ୍ଟି ଚର୍ଚ୍ଚାର ପରିଧି କୁ ଆସି ଥିବା ବେଳେ କନ୍ଧମାଳ ଜିଲ୍ଲାର ଜଣେ ଭିନ୍ନକ୍ଷମ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ରେ। ମଣ୍ଡଳପଦର କ୍ଲଷ୍ଟର ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ମାଡ଼ାସପାଜୁ ପ୍ରାଥମିକ ବିଦ୍ୟାଳୟ। ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ବ ରେ ଅଛନ୍ତି ଅମ୍ବିକା ପାତ୍ର ଭିନ୍ନକ୍ଷମ ଶିକ୍ଷୟତ୍ରୀ। ଅମ୍ବିକା ଦିଦି କହିଲେ ସମସ୍ତେ ସହଜରେ ତାଙ୍କୁ ଜାଣନ୍ତି। ସାନିଟାଇଜର ଓ ଛାତ୍ରଛାତ୍ରୀ ମାନଙ୍କୁ ବାଣ୍ଟିବା ପାଇଁ ବହି ଧରି ନିଜେ ଏହି ଶିକ୍ଷୟତ୍ରୀ ଜଣକ ଆଶାବାଡି ସାହାର୍ଯ୍ୟ ରେ ପହଞ୍ଚିଲେ ତାଙ୍କ ବିଦ୍ୟାଳୟରେ ପାଠ ପଢ଼ୁଥିବା କୁନି କୁନି ଛାତ୍ରଛାତ୍ରୀ ଙ୍କ ଦୁଆରେ। ବହି ନେବା ପାଇଁ ଆସୁଥିବା ସମସ୍ତ ପିଲାମାନଙ୍କୁ ପ୍ରଥମେ ହାତକୁ ଭଲ ଭାବେ ଧୋଇ ଦେଇଥିଲେ। ତାପରେ ସାମାଜିକ ଦୂରତ୍ୱ ରକ୍ଷା କରି ଛିଡ଼ା ହେବା କୁ ଉପଦେଶ ଦେଇଥିଲେ। ତାପରେ ପାଠ ପଢ଼ା ବହି ପ୍ରଦାନ କରିଥିଲେ। ପିଲାମାନଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ କହିଥିଲେ ଅମ୍ବିକା ଦିଦି। ହାତକୁ ବାରମ୍ବାର ସାବୁନ ରେ ଧୋଇବା, ମାସ୍କ, ରୁମାଲ କିମ୍ବା ଟାବାଲ କୁ ମୁହଁରେ ବାନ୍ଧି ବାହାରକୁ ଯିବା, ସରକାର ଙ୍କ ନିର୍ଦ୍ଦେଶ କୁ ପାଳନ କରିବା, ନିଜ ପରିବାରର ସଦସ୍ୟଙ୍କୁ ସଚେତନ କରାଇବା, ବହି ଗୁଡିକୁ ଯତ୍ନ ରେ ରଖି ପଢ଼ା ପଢ଼ି କରିବା ପାଇଁ ଉପଦେଶ ଦେଇଥିଲେ ଦିଦି। ଜଣେ ଭିନ୍ନକ୍ଷମ ଶିକ୍ଷୟତ୍ରୀ ଙ୍କ ଏଭଳି ମହାନତା କାର୍ଯ୍ୟ ନିଶ୍ଚିତ ଭାବେ ଶିକ୍ଷକ ସମାଜ ପାଇଁ ଗୌରବ ର ବିଷୟ ପାଲଟିଛି। ସରକାରଙ୍କର ନିର୍ଦ୍ଦେଶ କୁ ପାଳନ କରି ନିଜ ଅକ୍ଷମତା କୁ ଭୁଲିଯାଇ ଭିନ୍ନକ୍ଷମ ଶିକ୍ଷୟତ୍ରୀ ଙ୍କର ଏଭଳି ମହାନ କାର୍ଯ୍ୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ