ଭିସୁଟ ପାସ ଆଉଟ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
ସମ୍ବଲପୁର, (ଲିପନ ନାଏକ):ଭିସୁଟ୍ ର ପାସ୍ ଆଉଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ଘଟଣାରେ ଆଜି ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ (୨୭)କୁ ଗିରଫ କରାଯାଇଛି। ଏହି ଘଟଣାରେ ଓଡ଼ିଶା ହାଇକୋର୍ଟ ସମ୍ୱଲପୁର ଏସ୍ପିଙ୍କୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଗତ ୨୦୨୩ ମସିହା ଫେବୃଆରୀ ୨୮ ତାରିଖ ଭିସୁଟ୍ରେ ସମାବର୍ତ୍ତନ ଉତ୍ସବ ହୋଇଥିଲା। ରାତି ପ୍ରାୟ ୮ଟାରୁ ୯ଟା ମଧ୍ୟରେ ଚିନ୍ମୟୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁର୍ଲା ପାୱାର ଚେନାଲ ବ୍ରିଜକୁ ବୁଲିବାକୁ ଯାଇଥିଲେ। ତାହାର କିଛି ସମୟପରେ ଚିନ୍ମୟୀ ପାଣିରେ ପଡ଼ି ଯାଇଥିଲେ। ମାର୍ଚ୍ଚ ୧ ତାରିଖ ତାଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା। ସେତେବେଳେ ମୃତ ଚିନ୍ମୟୀଙ୍କ ମା’ ହତ୍ୟା ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିଥିଲେ। ବୁର୍ଲା ପୋଲିସ ଏହି ଘଟଣାର ତଦନ୍ତ କରି ପାଣିରେ ପଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା କହିଥିଲା। ଏନେଇ ମୃତ ଚିନ୍ମୟୀଙ୍କ ମା’ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପୁଣିଥରେ ଏହି ମାମଲାର ଖୋଳତାଡ଼ ଆରମ୍ଭ କରିଥିଲା। ଆଜି ବିଭିନ୍ନ ତଥ୍ୟପ୍ରମାଣ ଆଧାରରେ ପୁରୁଷ ବନ୍ଧୁ ପ୍ରୀତିମାନଙ୍କୁ ଆଜି ପଚରାଉଚୁରାପରେ ବୁର୍ଲା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।