ଭୀଷ୍ମଗିରି ଠାରେ ଏକ ଦିବସୀୟ ସାଧନା ଦିବସ ପାଳିତ   

ବ୍ରହ୍ମପୁର,( ଯୁଗାବ୍ଦ ନ୍ୟୁଜ୍) : ରବିବାର ଦିନ ଦିଗପହଣ୍ଡି ବ୍ଳକ୍ସ୍ଥିତ ଭୀଷ୍ମଗିରି ଠାରେ ଦିବ୍ୟ ଜୀବନ ସଂଘ, ସତ୍ସଙ୍ଗ କେନ୍ଦ୍ର ଦ୍ୱାରା ସଂଘର ସଭାପତି ମାଗତା ପ୍ରଧାନ ଓ ଦିବ୍ୟ ଜୀବନ ସଂଘର ବରିଷ୍ଠ ଗୁରୁଭାଇ କୁଞ୍ଜ ବିହାରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକଦିବସୀୟ ସାଧନା ଦିବସ ପାଳିତ ହୋଇଯାଇଛି । ପ୍ରାତଃ ବ୍ରହ୍ମମୁହୁର୍ତ୍ତରେ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଜପଧ୍ୟାନ ସହ ଗୁରୁପାଦ ପୂଜା ସହ ନଗର ସଂକୀର୍ତ୍ତନ ଏବଂ ଶ୍ରୀସୂକ୍ତମ୍, ଶନିଶ୍ଚର ସ୍ତୋତ୍ରମ୍, ଗୀତା ପାଠ, ଭଜନ କୀର୍ତ୍ତନ ସହ ଅତିଥି ଭାବେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ତଥା ଶିବାନନ୍ଦ ଆଶ୍ରମ ମୁଖ୍ୟାଳୟ (ଋଷିକେଶ)ରୁ ସନ୍ୟାସ ଦୀକ୍ଷା ଗ୍ରହଣ କରିଥିବା ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରି ଶରଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି ଆଶୀର୍ବଚନ ପ୍ରଦାନ କରିଥିଲେ । ବିଶ୍ୱର ମଙ୍ଗଳ କାମନା ଉଦ୍ଦେଶ୍ୟରେ  ଶାନ୍ତି ପାଠ କରାଯାଇଥିଲା । ଜନ୍ମ ମୃତ୍ୟୁରୁ ଉଦ୍ଧାର କରିବା ଶ୍ରେଷ୍ଠ ଲକ୍ଷ୍ୟ ଅଟେ ।  ସ୍ୱାମୀଜୀମାନେ କହିଥିଲେ – ଜୀବନର ଏକମାତ୍ର ଲକ୍ଷ୍ୟ ଅଟେ ଈଶ୍ୱର ସାକ୍ଷାକ୍ରାର କରିବା । କିନ୍ତୁ, ବର୍ତ୍ତମାନ ସମାଜର ଯୁବପିଢ଼ୀ ଛନ୍ଦ, ମନ୍ଦ , କୁଟ, କପଟ ଆଦିରେ ଲିପ୍ତ ହୋଇ ନିଜର ସ୍ୱରୂପକୁ ଭୁଲିଯାଉଛନ୍ତି । ତେଣୁ ସେ ଦୁଃଖ ଭୋଗ କରୁଅଛି । ପ୍ରକୃତରେ ଆତ୍ମା ଅଜର, ଅମର, ଅବିନାଶୀ ଅଟେ । କିନ୍ତୁ, ନିଜର କର୍ମ ଅନୁଯାୟୀ ଶରୀର ସୁଖ ଦୁଃଖ (ପ୍ରାରବ୍ଧ ଅନୁସାରେ) କଷ୍ଟ ଅନୁଭବ କରୁଅଛି । ତେଣୁ ସାଧନା ଦ୍ୱାରା ଈଶ୍ୱରଙ୍କୁ ପାଇବାକୁ ହେଲେ ଶରୀର ନିତାନ୍ତ ଆବଶ୍ୟକ ଥାଏ । ଯୋଗ ଦ୍ୱାରା ଶରୀରକୁ ସୁସ୍ଥ ରଖି, ମଦ୍ୟପାନ, ଧୂମ୍ରପାନ, ନିଶାଦ୍ରବ୍ୟ ବା ସମାଜରେ ସାଧନା ବିରୋଧି ପଦାର୍ଥକୁ ତ୍ୟାଗ କରି  ମନ, ମସ୍ତିଷ୍କ, ପ୍ରାଣକୁ ଏକ କରି ଭଗବତ୍ ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିବା ନିତାନ୍ତ ଆବଶ୍ୟକ । କିନ୍ତୁ, ଆଜିର ସମାଜ ଧନ, ମାନ, ସମ୍ମାନ ଚାହୁଁଛି । ତେଣୁ ସେ ଈଶ୍ୱର ପ୍ରାପ୍ତିରୁ ବିମୁଖ ହୋଇ ସଂସାରର ଭୋଗ ବିଳାସରେ ଲିପ୍ତ ହୋଇ ଅଧୋଗତି ହେଉଛି । ଏହାଦ୍ୱାରା  ନା ସେ ଭଗବାନଙ୍କର ହୋଇ ପାରୁଛି, ନା ସେ ସଂସାରର ହୋଇପାରୁଛି । ତେଣୁ ସରଳ ହେବା ପାଇଁ ଅନେକ ଜନ୍ମର ଆବଶ୍ୟକ ହୋଇଥାଏ । କିନ୍ତୁ ସମସ୍ତ ପ୍ରାଣୀର ଏକମାତ୍ର ଲକ୍ଷ୍ୟ ହେଉଛି ଈଶ୍ୱର ସାକ୍ଷାତ୍କାର । ଅନୁମାନ ଭୁଲ ହୋଇପାରେ , କିନ୍ତୁ ଅନୁଭବ କେବେହେଲେ ଭୁଲ ହୁଏନା । ଯାହା ବି କରନ୍ତୁ, କେନ୍ଦ୍ରରେ ଗୁରୁଦେବ ସ୍ୱାମୀ ଶିବାନନ୍ଦ, ସ୍ୱାମୀ ଚିଦାନନ୍ଦଙ୍କ ବାଣୀକୁ ଅନୁସରଣ କରିବା ଦ୍ୱାରା ଜୀବନରେ ଯେତେ ବାଧାବିଘ୍ନ ଆସିଲେ ସୁଧା ତାହା ସମାଧାନ ହୋଇଯାଇଥାଏ ।  ଏହି କାର୍ଯ୍ୟକ୍ରମରେ ଭୀଷ୍ମଗିରି, ଧରମ ପୁର, ଗୋକର୍ଣ୍ଣପୁର, ଝରି ପଦର, ଚକ୍ରପୁର, ଦିଗପହଣ୍ଡି, ଚୌଧୁରୀ ଟିକରପଡ଼ା, ଦ୍ୱାରଗାଁ ଶାଖାମାନଙ୍କର ସମସ୍ତ ଗୁରୁଭାଇମାନେ ଯୋଗଦେବା ସହ ସେମାନଙ୍କର ଶାଖାର ବିବରଣୀମାନ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ବନବାସୀ ପଟ୍ଟନାୟକ, ସମ୍ପାଦକ ବିଘ୍ନ ରାଜ ବକ୍ସି, କୋଷାଧ୍ୟକ୍ଷ ବୃନ୍ଦାବନ ପାଣିଗ୍ରାହୀ, ବିଶ୍ୱକେତନ ଦାଶ, ନୀଳାଞ୍ଚଳ ଗୌର, ମନୋଜ କୁମାର ସାହୁ, ଟି. ରତ୍ନମାଳା ଦେବୀ, ଶାନ୍ତିଲତା ପାତ୍ର, ଜ୍ୟୋତ୍ସ୍ନାରାଣୀ ବକ୍ସି, ରୀନାରାଣୀ ଦାଶ, ଅମୂଲ୍ୟ ଦାସ, ତ୍ରିନାଥ ସାହୁ, କୃଷ୍ଣ ଚନ୍ଦ୍ର ପତି, ଗଣେଶ ପାଢ଼ୀ, ପିତବାସ ନାହାକ, ବାବୁ ପ୍ରଧାନ, ଜେ. ପ୍ରଧାନ, ରାଜେନ୍ଦ୍ର ଦୋରା, ବିପ୍ର ଦୋରା, ପଞ୍ଚାନନ ଗୌଡ଼, ନକୁଳ ସାହୁଙ୍କ ସମେତ ଆଖପାଖ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ବିଶ୍ରାମ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ