ଭୁଜାଲି ଦେଖାଇ ଲୁଟିନେଲେ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଗ୍ରାମରୁ ଗତ ଗୁରୁବାର ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୋସୋ ପଞ୍ଚାୟତର ପୁର୍ବତନ ସରପଞ୍ଚ ସ୍ୱର୍ଗତ ଜୟନ୍ତ ମହାନ୍ତିଙ୍କ ଘରେ ୫ଜଣ ଦୁର୍ବୁତ ପସି ପରିବାର ଲୋକଙ୍କୁ ଭୁଜାଲି ଓ ଛରୀ ଦେଖାଇ ଭୟଭୀତ କରିବା ପରେ ତାଙ୍କ ଘରୁ ନଗଦ ୩୦ହଜାର ଟଙ୍କା, ସୁନାଚେନ, ମଙ୍ଗଳସୁତ୍ର, ସୁନାର ବଲା ଆଦି ଲୁଟି ନେଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ ସ୍ୱର୍ଗତ ଜୟନ୍ତ ମହାନ୍ତିଙ୍କ ଘର ନିକଟରେ ଦୁଇ ତିନୋଟି ବାଣ ଫୁଟାଇଥିଲେ । ସ୍ୱର୍ଗତ ଜୟନ୍ତ ମହାନ୍ତିଙ୍କ ବିଧବା ପତ୍ନୀ ସନ୍ଧ୍ୟାରାଣୀ ଜେନା ବାଡି ଭିତରେ ହାତୀ ପସିଥିବ ଓ ତାକୁ ଘଉଡାଇବାକୁ ବାଣ ଫୁଟାଉଥିବା ଭାବିଥିଲେ । କିନ୍ତୁ କିଛିସମୟ ଭିତରେ ଦୁର୍ବୁତମାନେ ବାଡିପଟ କବାଟ ଭାଙ୍ଗି ଘର ଭିତରେ ପସି ସେମାନଙ୍କ ବେକରେ ଭୁଜାଲି ଲଗାଇଦେଇ ତୁରନ୍ତ କେଉଁଠି କଣ ଅଛି ଦେଇଦିଅ ବୋଲି ଧମକ ଦେବାପରେ ସନ୍ଧ୍ୟାରାଣୀ ପିନ୍ଧିଥିବା ସୁନାଚେନ ଓ ବଲା ଖୋଲିକି ଦେିଦେଇଥିଲେ । ସେହିପରି ତାଙ୍କ ଝିଅ ପିନ୍ଧିଥିବା ମଙ୍ଗଳସୁତ୍ର, ମୁଦି ଆଦି ଦେଇଦେବା ସହ ଘରେଥିବା ନଗଦ ୩୦ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ । ଘରର ସମସ୍ତ ଜିନିଷପତ୍ରକୁ ଛିନଛତ୍ର କରି ଫୋପଡା ଫୋପଡି କରିବା ସହିତ ଲୁଟ ସାରିବାପରେ ସୋଫାରେ ବସି ସରବତ କରିଦିଅ ବୋଲି କହିଥିଲେ । ପରିବାର ଲୋକେ ବାଧ୍ୟହୋଇ ସରବତ କରିଦେବାପରେ ସେମାନେ ପିଇକରି ଆରମରେ ଚାଲି ଯାଇଥିଲେ । ପରଦିନ ସକାଳୁ ଏନେଇ ପରିବାର ଲୋକେ ସୋସୋ ଥାନାରେ ଅଭିଯୋଗ କରିବାପରେ ସୋସୋ ପୁଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୫ଜଣ ଲୁଟେରାଙ୍କ ମଧ୍ୟରେ ଦୁଇଜଣ ହିନ୍ଦିରେ କଥାବର୍ତ୍ତା ହେଉଥିବାବେଳେ ଆଉ ତିନିଜଣ ଓଡିଆରେ କଥାବର୍ତ୍ତା ହେଉଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଗତ କିଛିବର୍ଷ ପୁର୍ବେ ସମାନ ଢ଼ଙ୍ଗରେ ସୋସୋ ହାଇସ୍କୁଲ ନିକଟରେ ରହୁଥିବା ଅଶୋକ ରାଉତଙ୍କ ଘରୁ ମଧ୍ୟ ସମାନ ଧରଣର ଲୁଟ ହୋଇଥିଲା । କିନ୍ତୁ ପୁଲିସ ଆଜି ପର୍ଯ୍ୟନ୍ତ ଲୁଟେରା ମାନଙ୍କୁ ଠାବ କରିବାରେ ବିଫଳ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ