ଭୁବନେଶ୍ବର ମହାନଗର ପାଶ୍ବବର୍ତ୍ତୀ ଅଞ୍ଚଳରେ ଲାଗୁ ହେବ ୪୮ ଘଣ୍ଟିଆ ସଟ୍ ଡାଉନ୍
ଭୁବନେଶ୍ବର : ରାଜ୍ୟରେ ପଞ୍ଚମ କରୋନା ରୋଗୀଙ୍କ ଚିହ୍ନଟ ପରେ ତାଙ୍କଠାରେ ଦେଖାଯାଇଥିବା ବିଲକ୍ଷଣକୁ ନେଇ ରାଜ୍ୟ ସରକାର ବେଶ୍ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଭୁବନେଶ୍ବରକୁ ଆଗାମୀ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ପାଇଁ ଘୋଷଣା କରିଛନ୍ତି । ଆଜି ରାତ୍ରି ୮ଟାରୁ ରବିବାର ରାତ୍ରି ୮ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନର ଘୋଷଣା କରିଛନ୍ତି । ତେବେ ଭୁବନେଶ୍ବର ମହାନଗର ନୁହେଁ, ଭୁବନେଶ୍ବରର ପାଶ୍ବବର୍ତ୍ତୀ ଅଞ୍ଚଳଗୁଡିକ ପାଇଁ ମଧ୍ୟ ଏହି ନିୟମ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଭୁବନେଶ୍ବରର କେଉଁ କେଉଁ ଅଞ୍ଚଳରେ ଏହା ଲାଗୁ କରାଯିବ ।
ଭୁବନେଶ୍ବର ମହାନଗର ସହ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସଟ୍ଡାଉନ୍ ପାଇଁ ଘୋଷଣା କରାଯାଇଛି । ସେହି ସବୁ ଅଞ୍ଚଳଗୁଡିକ ହେଉଛି ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ମଳିପଡା, ଅନ୍ଧାରୁଆ, ଯାଆଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟି ପ୍ରତାପ ଶାସନ, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀ ପ୍ରଧାନସାହି ପ୍ରମୁଖ । ସୂଚନାଯୋଗ୍ୟ, ଆଜି ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ କଟକରୁ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ୪ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭୁବନେଶ୍ବରର ପ୍ରଥମ ଓ ଦ୍ବିତୀୟ ରୋଗୀ ସୁସ୍ଥ ହୋଇଥିବାବେଳେ ପଞ୍ଚମ ଜଣ ଆକ୍ରାନ୍ତଙ୍କ ବିଲକ୍ଷଣ ଏବେ ଚିନ୍ତାରେ ପକାଇଛି । ପଞ୍ଚମ ବ୍ୟକ୍ତି ଜଣକ ନିକଟରେ ବିଦେଶ ଯାଇନଥିବାବେଳେ ସେ ରାଜ୍ୟ ବାହାରକୁ ମଧ୍ୟ ଯାଇନଥିଲେ । ଏପରିସ୍ଥିତିରେ ସେ କିପରି ସଂକ୍ରମିତ ହେଲେ, ତାହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତନାଘନା କରୁଛି । ଏଥିପାଇଁ ୪୮ ଘଣ୍ଟିଆ ସଟ୍ ଡାଉନର ଘୋଷଣା କରିଛି । ଏହି ସଟ୍ ଡାଉନ୍ ଭଦ୍ରକ ଓ କଟକ ପାଇଁ ମଧ୍ୟ ଲାଗୁ କରାଯାଇଛି ।