ଭୁବନେଶ୍ୱରରେ ପୂର୍ବାଂଚଳ ପରିଷଦର ୨୪ତମ ବୈଠକ
ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ) ବିହାର, ଝାଡଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ନେଇ ଗଠିତ ପୂର୍ବାଂଚଳ ଆଂଚଳିକ ପରିଷଦର ୨୪ତମ ବୈଠକ ଆସନ୍ତା କାଲି (୨୮.୨.୨୦୨୦) ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଆୟୋଜନକାରୀ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପାଧ୍ୟକ୍ଷ ଅଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ଏଥିରେ ଅଂଶଗ୍ରହଣ କରିବେ । ପରିଷଦର ସଦସ୍ୟ ଭାବେ ଏହିସବୁ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବ । କେନ୍ଦ୍ର ସରକାରଙ୍କ ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏହି ବୈଠକରେ ଯୋଗଦେବେ । ଅକ୍ଟୋବର ୧, ୨୦୧୮ ମସିହାରେ ପୂର୍ବାଂଚଳ ପରିଷଦର ଶେଷ ବୈଠକ କୋଲକାତାଠାରେ ଅନୁଷ୍ଠିତ ହୋଇଥିଲା ।ଏଠାରେ ହେବାକୁ ଥିବା ପୂର୍ବାଂଚଳ ବୈଠକରେ ପ୍ରାୟ ୫୦ଟି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ । ଆଲୋଚନା ମଧ୍ୟରେ ଆନ୍ତଃରାଜ୍ୟ ଜଳବିବାଦ, ବିଦ୍ୟୁତ ସରବରାହ, କୋଇଲା ଖଣି ଗୁଡିକର ପରିଚାଳନା ଏବଂ ରୟାଲିଟି, ରେଳ ପ୍ରକଳ୍ପଗୁଡିକ ନିମନ୍ତେ ଭୂମି ଓ ଜଙ୍ଗଲଗତ ମଞ୍ଜୁରି, ଜଘନ୍ୟ ଅପରାଧଗୁଡିକର ତଦନ୍ତ, ଦେଶ ଭିତରେ ଓ ସୀମାରେ ଗୋରୁ ଚାଲାଣ, ଅଗମ୍ୟ ଅଂଚଳରେ ଦୂରସଂଚାର ଓ ବ୍ୟାଙ୍କିଙ୍କ ସେବାର ଭିତିଭୂମି, ପେଟ୍ରୋଲିୟମ ପ୍ରକଳ୍ପ, କେନ୍ଦ୍ରୀୟ ରାଜସ୍ୱର ପରିବଂଟନ ଇତ୍ୟାଦି ଅନ୍ତର୍ଭୁକ୍ତ । ଅନେକ ବରିଷ୍ଠ ଅଧିକାରୀ ଓ ରାଜନୀତିକ ନେତୃତ୍ୱଙ୍କ ଅଂଶଗ୍ରହଣ ମାଧ୍ୟମରେ ଆହୁରି ଅନେକ ବିଷୟ ବୈଠକ କାଳରେ ଆଲୋଚନା ମାଧ୍ୟମରେ ସମାଧାନ ହେବାର ସମ୍ଭାବନା ରହିଛି
୧୯୫୬ ରାଜ୍ୟ ପୂର୍ନଗଠନ ଆଇନର ୧୫ରୁ ୨୨ ଧାରାକୁ ଉପଜୀବ୍ୟ କରି ୧୯୫୭ ମସିହାରେ ୫ଟି ଆଂଚଳିକ ପରିଷଦ ଗଠିତ ହୋଇଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରତ୍ୟେକ ଆଂଚଳିକ ପରିଷଦର ଅଧ୍ୟକ୍ଷତା କରୁଥିବା ବେଳେ ଆୟୋଜନକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାର ଦାୟିତ୍ୱ ତୁଲାଇଥାନ୍ତି । ପ୍ରତ୍ୟେକ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ଏହାର ସଦସ୍ୟ ଭାବେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି । କେନ୍ଦ୍ର ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ସଦସ୍ୟ ରାଜ୍ୟମାନଙ୍କ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ମନୋମାଳିନ୍ୟ ପରିଷଦରେ ଆଲୋଚନା ଦ୍ୱାରା ସମାଧାନ କରାଯାଇଥାଏ ।ଆଂଚଳିକ ପରିଷଦ ଅନେକ ବିଷୟ ବସ୍ତୁ ଯଥା: ସୀମା ସମ୍ପର୍କିତ ବିବାଦ, ନିରାପତା, ସଡକ ପରିବହନ, ଶିଳ୍ପ, ଜଳ ଓ ଶକ୍ତି ଭଳି ସମ୍ପର୍କିତ ବିଭିନ୍ନ ଭିତିଭୂମି, ଜଙ୍ଗଲ ଓ ପରିବେଶ, ଗୃହ, ଶିକ୍ଷା, ଖାଦ୍ୟ ନିରାପତା, ପର୍ଯ୍ୟଟନ ଓ ପରିବହନ ଭଳି ବିଷୟଗୁଡିକ ମଧ୍ୟ ଆଲୋଚନା ପରିସରଭୁକ୍ତ ହୋଇଥାଏ ।