ଭୁବନେଶ୍ୱରର ହେବ ଭିକାରୀମୁକ୍ତ !
ଭୁବନେଶ୍ୱର: ପୁରୀ ପରେ ଭୁବନେଶ୍ୱରର ପାଳି । ରାଜଧାନୀକୁ ଭିକାରୀମୁକ୍ତ କରିବା ପାଇଁ ଖୁବଶୀଘ୍ର ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଆର୍ଥିକ ସହଯୋଗରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ ଶୀଘ୍ର ଏହାର ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବ । ଭିକାରୀମାନଙ୍କୁ ଥଇଥାନ କରିବା ପାଇଁ ଏହି ଅଭିଯାନର ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ପୁରୀକୁ ଭିକାରୀମୁକ୍ତ କରିବା ପାଇଁ ଗତ ମାର୍ଚ୍ଚରୁ ଅଭିଯାନ ଆରମ୍ଭ ହୋଇଥିଲା । ସହରର ବିଭିନ୍ନ ସ୍ଥାନରେ ୮ଟି ଆଶ୍ରୟସ୍ଥଳ କରି ଭିକାରୀମାନଙ୍କୁ ସେଠାରେ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ଯୋଜନା କରିଥିଲା । ଏହାକୁ ‘ନୀଳାଦ୍ରି ବିଜୟ’ ନାମରେ ନାମକରଣ କରାଯାଇଥିଲା । ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଏଥିରେ ସହଯୋଗ କରିବାକୁ ଆଗେଇ ଆସିଥିଲେ । ଭିକ୍ଷାବୃତ୍ତି କରୁଥିବା କିଛି ବ୍ୟକ୍ତିଙ୍କୁ ନିଆଯାଇ ଆଶ୍ରୟ ସ୍ଥଳୀରେ ରଖାଯାଇଥିଲା । ତେବେ ମାର୍ଚ୍ଚ ମାସ ଶେଷ ସପ୍ତାହ ବେଳକୁ କୋଭିଡ ମହାମାରୀ ପାଇଁ ଲକଡାଉନ ଆରମ୍ଭ ହୋଇଯାଇଥିବାରୁ ଏହି ଅଭିଯାନର ସଫଳତା ସମ୍ପର୍କରେ ଜଣାପଡ଼ି ନଥିଲା । ଭୁବନେଶ୍ୱରରେ ଏହି ଅଭିଯାନ ଆରମ୍ଭ ହେବାର ଯୋଜନା ଥିବାରୁ ବିଏମସି ସ୍ୱେଚ୍ଛାସେବୀ ସଂସ୍ଥାମାନେ ସହଯୋଗ ନେବ । ଆଶ୍ରୟସ୍ଥଳ ପ୍ରସ୍ତୁତ ହେଲା ପରେ ଭିକାରୀମାନଙ୍କୁ ସେଠାରେ ରଖାଯିବ । ସେମାନଙ୍କୁ ସେଠାରେ ମାଗଣା ଖାଇବା, ରହିବା, ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସହ ସେମାନଙ୍କୁ ରୋଜଗାର ମାଧ୍ୟମ ଦେବାକୁ ବନ୍ଦୋବସ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି ।