ଭୁବନେଶ୍ୱର ଆରଟିଓ-୨ ବନ୍ଦ
ଭୁବନେଶ୍ୱର: ମାଡ଼ି ଚାଲିଛି କରୋନା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ ରଖାଯାଉଛି । ଏହାରି ଭିତରେ କରୋନା ସଂକ୍ରମଣ ଆଶଙ୍କାରେ ଭୁବନେଶ୍ୱର ଆରଟିଓ-୨କୁ ବନ୍ଦ କରିଦିଆଯାଇଛି । ଆସନ୍ତା ସୋମବାର ପର୍ଯ୍ୟନ୍ତ ଆରଟିଓ-୨କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆରଟିଓ-୧ର ସହଯୋଗୀ ପଜିଟିଭ ହୋଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନା ମୁତାବକ, ଗତକାଲି ଆରଟିଓ-୧ ଅଫିସ୍ରୁ ୪ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଅଫିସକୁ ସିଲ କରାଯାଇଥିଲା । ଏହା ସହ ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଆରଟିଓ-୧ ଅଫିସ୍ ସହ କଟକ ରୋଡସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ମଧ୍ୟ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ସହ ଫୁଲନଖରା ପାଖରେ ଥିବା ଗତି କୋରିୟର ଗୋଦାମରୁ ୨ ଜଣ କରୋନା ପଜିଟିଭ୍ ବାହାରିଥିଲେ । ରାଜ୍ୟରେ ଆଉ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଂଟାଇନ କେନ୍ଦ୍ରରେ ଥିବାବେଳେ ୧୮୯ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୨୪ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୬୭୦୩ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୩୮୬୦ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।


