ଭୁବନେଶ୍ୱର କରୋନା ମୁକ୍ତ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏକଦା କରୋନାକୁ ନେଇ ରାଜଧାନୀବାସୀଙ୍କର ନିଦ ହଜି ଯାଇଥିଲା । କରୋନା ସଂକ୍ରମଣ ଆରମ୍ଭରୁ ପ୍ରାୟ ଦେଢ଼ ମାସ ଧରି ରାଜଧାନୀର ସ୍ଥିତି ସମସ୍ତଙ୍କୁ ନାକୁଆଣି କରିଦେଇଥିଲା । ସ୍ଥିତି ଏମିତି ହୋଇଥିଲାଯେ, ଭୁବନେଶ୍ୱରର ଲୋକଙ୍କୁ ଗାଁରେ ବି ଲୋକେ ପୂରାଇ ଦେଉନଥିଲେ ।
ତେବେ ସୋମବାର ୩ ଆକ୍ରାନ୍ତ ଡିସଚାର୍ଜ ହେବା ପରେ ଭୁବନେଶ୍ୱର କରୋନା ମୁକ୍ତ ହୋଇଛି । ଭୁବନେଶ୍ୱରରେ ଆଉ କରୋନା ଆକ୍ଟିଭ କେସ ନଥିବା ସୂଚନା ମିଳିଛି । ଭୁବନେଶ୍ୱରଭଳି ଆଜି ଜଗତସିଂହପୁର ମଧ୍ୟ କରୋନା ମୁକ୍ତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଯେ, କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି । ତେବେ ଏହା ଭିତରେ ଏକ ଭଲ ଖବର ଆସିଛି । ତାହା ହେଲେ ଆଜି ପୁଣି ରାଜ୍ୟରେ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମର ସବାଧିକ ୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାଛଡ଼ା ଜଗତସିଂହପୁର ୫, ମୟୂରଭଞ୍ଜ ୪ ଭୁବନେଶ୍ୱର ୩, ବଲାଙ୍ଗୀରର ୨ ଜଣ ଏବଂ ସୁନ୍ଦରଗଡ଼, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାବତ ଓଡ଼ିଶାରେ ୨୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ