ଭୁବନେଶ୍ୱର ତୋତେ ଦୁରୁ ଜୁହାର

ସୁବାସ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪

ଡ଼ିଶାର ପୁରାତନ ସହରମାନଙ୍କ ମଧ୍ୟରୁ ଭୁବନେଶ୍ୱର ଅନ୍ୟତମ । ତା ୧୩.୦୪.୧୯୪୮ ମସିହାରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀର ମାନ୍ୟତା ପାଇଲା ପରେ ଏହି ସହରର ଗୁରୁତ୍ୱ ବଢିବା ସହିତ ଲୋକମାନଙ୍କ ସଂଖ୍ୟ ମଧ୍ୟ ବଢିବାରେ ଲାଗିଥିଲା । ସେହିପରି ୨୦୧୫ ମସିହାରେ ସବୁ ସହରକୁ ପଛରେ ପକାଇ ଭୁବନେଶ୍ୱର ଶ୍ରେଷ୍ଠତମ ସହର ଭାବେ ସ୍ମାର୍ଟସିଟିର ମାନ୍ୟତା ପାଇଛି ଯାହା ଆମ ରାଜ୍ୟ ଓ ଦେଶ ପାଇଁ ଗୌରବର ବିଷୟ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଭୁବନେଶ୍ୱରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ସେଥିପାଇଁ ଭୁବନେଶ୍ୱରକୁ ମନ୍ଦିର ମାଳିନୀ ସହର କୁହାଯାଏ । ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଦେଶ ଓ ଦେଶ ବାହାରୁ ଭୁବନେଶ୍ୱରକୁ ଆସିଥାନ୍ତି । ଭୁବନେଶ୍ୱରର ଶାନ୍ତ ସରଳ ଓ ସୁନ୍ଦର ପରିବେଶ ସେମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଭୁବନେଶ୍ୱରରେ ଗଢି ଉଠିଥିବା ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନନରେ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଦୃଷ୍ଟିରୁ ଭୁବନେଶ୍ୱରର ଲୋକସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । କର୍ମନିଯୁକ୍ତି ପାଇଁ ଭୁବନେଶ୍ୱର ଉପଯୁକ୍ତ ସହର ବୋଲି କର୍ମଚାରୀମାନେ ମନେ କରନ୍ତି । ଓଡ଼ିଶା ବ୍ୟବୀତ ଅନ୍ୟ ରାଜ୍ୟରୁ ମଧ୍ୟ ଲୋକମାନେ ଆସି ରାଜଧାନୀ ଭୁବନେଶ୍ୱରରେ ସ୍ଥାୟୀ ଭାବରେ ରହିଲେଣି । ଏକ ସର୍ଭେରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ଭୁବନେଶ୍ୱରରେ ୮ ଲକ୍ଷ ୩୮ ହଜାରରୁ ଉର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି ଯାହା ଲୋକସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ଅନ୍ୟ ସହର ତୁଳନାରେ ଭୁବନେଶ୍ୱର ସର୍ବାଗ୍ରେ ରହିଛି ।
କିନ୍ତୁ ବର୍ତ୍ତମାନ କରୋନାକୁ ନେଇ ସମଗ୍ର ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଭୁବନେଶ୍ୱରବାସୀ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପ୍ରାୟ ସାତମାସ ଧରି କରୋନା ଆମ ଦେଶ ଭାରତ ସମେତ ଓଡ଼ିଶାରେ ମଧ୍ୟ ଏକ ଅଜଣା ଆତଙ୍କ ସୃଷ୍ଟି କରିଚାଲିଛି । ଦେଶରେ ଦୈନିକ ହାରାହାରି ୯୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମଣର ଶିକାର ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଦୈନିକ ହାରାହାରି ୩୫୦୦ରୁ ୪୦୦୦ ଲୋକ କରୋନା ସଂକ୍ରମଣର ଶିକାର ହେଉଛନ୍ତି ଯାହା ଓଡ଼ିଶାବାସୀଙ୍କ ମନରେ ଭୟ ଓ ଶଙ୍କା ସୃଷ୍ଟି ହେବା ସ୍ୱାଭାବିକ । ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମଣ ଦୃଷ୍ଟିରୁ ଦେଖିବାକୁ ଗଲେ ସର୍ବାଗ୍ରେ ରହିଛି ଭୁବନେଶ୍ୱର । ଭୁବନେଶ୍ୱରର ପ୍ରତ୍ୟେକ ବସ୍ତି, ପ୍ରତ୍ୟେକ ୱାର୍ଡ଼ ଓ ପ୍ରତ୍ୟେକ ସାହିରୁ ଦୈନିକ ୩୫୦ରୁ ୪୦୦ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହା ଭୁବନେଶ୍ୱରବାସୀ ଆଜି ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ଗତି କରୁଛନ୍ତି । କି ଧନୀ, କି ଗରିବ, କରୋନାକୁ ନେଇ ସମସ୍ତେ ଆତଙ୍କିତ । ଏଥିରେ ମନ୍ତ୍ରୀ, ବିଧାୟକ, ସାଂସଦ ଓ କରୋନା ଯୋଦ୍ଧା ମଧ୍ୟ ବାଦ୍ ଯାଇନାହାଁନ୍ତି । ସାଧାରଣ ଜନତାଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି । ଏହାରି ମଧ୍ୟରେ ଦେଶରେ କରୋନା ଆକ୍ରାନ୍ଥଙ୍କ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୪ ହଜାର ୩୭୨କୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଶାରେ କରୋନା ଆକ୍ରାନ୍ଥଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୧୭ ହଜାର ୬୨୦ଜଣ କରୋନାରେ ଆକ୍ରାନ୍ଥ ହୋଇଥିବା ବେଳେ ୬୪ ଜଣଙ୍କର ମୃତ୍ୟୁ ଘଟିଛି । ଯଦିଓ ଏହାର କୌଣସି ପ୍ରତିରୋଧକ ଟୀକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ, ତଥାପି ଯଦି ନିକଟ ଭବିଷ୍ୟତରେ ଏହାର ପ୍ରତିରୋଧକ ଟୀକା ପ୍ରସ୍ତୁତ କରାନଯାଏ, ତେବେ ଏହାର ଭୟଙ୍କର ପ୍ରଭାବ ବହୁଦିନ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀଙ୍କ ଉପରେ ପଡ଼ିବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ କରୋନା ପ୍ରତିରୋଧକ ଟୀକା ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରଖିଛନ୍ତି ।
ପ୍ରଥମେ ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ପ୍ରବେଶ କରିଥିଲା ମହାମାରୀ କରୋନା । ସମସ୍ତେ ଭାବିଥିଲେ ଅଳ୍ପଦିନ ଭିତରେ ଏହା ଓଡ଼ିଶାରୁ ବିଦାୟ ନେବ ଓ ସବୁକିଛି ଠିକ୍ ହୋଇଯିବ । ମାତ୍ର ସବୁ ଭାବନା ଭୁଲ୍ ପ୍ରମାଣିତ ହୋଇଥିଲା । ସରକାର କରୋନାକୁ ନିୟନ୍ତ୍ରଣ କରିବାକୁ ଯାଇ ଲୋକମାନଙ୍କୁ ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି ଲକ୍‌ଟାଉନ ଓ ସଟ୍‌ଡ଼ାଉନ୍ ବାରମ୍ବାର ଘୋଷଣା କଲେ । ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଦୋକାନ, ବଜାର ଓ ଛକମାନଙ୍କରେ ପୋଲିସ୍ ପଇଁତରା ମାରିଲେ । ଫଳରେ ଲୋକମାନେ ଘରେ ରହିଲେ, ସୁସ୍ଥରେ ରହିଲେ । ହେଲେ ଏହାପରେ ମାସ ପରେ ମାସ ବିତିଚାଲିଲା, କୌଣସି ସୁଫଳ ମିଳିଲା ନାହିଁ । ସରକାରଙ୍କ ଘୋଷଣା ମୁତାବକ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡ଼ି, ସ୍କୁଲ୍‌, କଲେଜ, ଦୋକାନ ବଜାର, ମନ୍ଦିର, ମସଜିଦ୍ ଓ ମଲ୍‌ସବୁ ବନ୍ଦ ରହିଲା । ଏହି ସମୟ ମଧ୍ୟରେ ଲୋକମାନେ ନିଜର ଜୀବନ ଜୀବିକା ହରାଇ ବସିଲେ । ଭୁବନେଶ୍ୱରରେ ଦୋକାନ କରିଥିବା ଲୋକମାନେ ଘରେ ବସିରହିଲେ, ସରକାରୀ ବେସରକାରୀ ତଥା ମଲ୍‌ମାନଙ୍କରେ ଚାକିରୀ କରିଥିବା ଲୋକମାନେ ଗାଁକୁ ଫେରିଲେ । ମାସ ମାସ ଧରି ଗାଁରେ ରହିବା ଫଳରେ ସଞ୍ôଚତ ରଖିଥିବା ଅର୍ଥକୁ ଆଣି ପରିବାର ପ୍ରତିପୋଷଣ କଲେ । ଧୀରେ ଧୀରେ ସଞ୍ôଚତ ଥିବା ଅର୍ଥ ସରିବାକୁ ଲାଗିଲା, ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲିଗଲା । କାଲି ଯିଏ ଭୁବନେଶ୍ୱରରେ ମଲ୍‌ରେ କରୁଥିଲା, ଆଜି ନିଜ ଜୀବିକା ପାଇଁ ଗାଁ ରାସ୍ତା କଡ଼ରେ ପରିବା ବିକୁଛି । କାଲି ଯିଏ ନିଜର ଅଭିନୟ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା, ଆଜି ସିଏ ଫଳ ବିକିବାକୁ ବାଧ୍ୟ ହେଉଛି । ନିଜର ପରିବାର ପ୍ରତିପୋଷଣ ପାଇଁ ଲୋକମାନେ ଏହିପରି ପନ୍ଥାକୁ ଆପଣେଇଲେ । ଏହି ମହାମାରୀ ଯୋଗୁ ବିଭିନ୍ନ ପୂଜା ପାର୍ବଣ ବନ୍ଦ ହେବା ଫଳରେ କୌଳିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ ସେମାନଙ୍କ ଜୀବିକା ହରାଇଲେ, ସେମାନଙ୍କ ପରିବାର ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ । ସର୍ବୋପରି କହିବାଗୁ ଗଲେ ଯେଉଁ ଲୋକମାନେ ଦିନେ ରୋଜଗାର ଆଶାରେ ଭୁବନେଶ୍ୱରକୁ ଆସୁଥିଲେ, ଆଜି କରୋନା ସଂକ୍ରମିତ ଭୟରେ ଭୁବନେଶ୍ୱରରୁ ପୁଣି ଗାଁ ମୁହାଁ ହେଲେ ।
ଦୀର୍ଘ ୭ ମାସରୁ ଉର୍ଦ୍ଧ୍ୱ ସମୟ ଗାଁରେ ରହିବା ଫଳରେ ଅଧିକାଂଶ ଲୋକ ରାଜଧାନୀ ଭୁବନେଶ୍ୱରକୁ ଭୁଲି ଗାଁରେ ଚାଷବାସରେ ମନ ଦେଲେ, ନିଜର ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଉପାୟ ଅବଲମ୍ବନ କଲେ । ପୂର୍ବ ପରି ଆଉ ଭୁବନେଶ୍ୱରରେ ଲୋକଙ୍କ ଗହଳି ଦେଖିବାକୁ ମିଳୁନାହିଁ । କାହିଁକି ନା ଯେଉଁ ଭୁବନେଶ୍ୱରରେ ରାତି ପାହିଲେ ଦଳ ଦଳ ଲୋକମାନେ ଏକାଠି ହୋଇ ସକାଳ ଭ୍ରମଣରେ ବାହରୁଥିଲେ, ସେମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ, ଦିନ ଥିଲା ଏକ ଜରୁରୀ କାମରେ ଭୁବନେଶ୍ୱରର କୌଣସି ଏକ ଅଫିସ୍‌କୁ ଗଲେ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା, ଆସି ସେହି ସବୁ ଅଫସ୍‌ଗୁଡ଼ିକ ଖାଁ ଖାଁ ଲାଗୁଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ବାକି ସବୁ ଦୋକାନ ବନ୍ଦ ଫଳରେ ଭୁବନେଶ୍ୱରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ଘରର କୌଣସି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଟିଏ ସାରିଯାଇଛି, ତେବେ ସାରା ଭୁବନେଶ୍ୱର ବୁଲି ଆସିଲେ ମଧ୍ୟ କୌଣସି ଜାଗାରେ ମିଳୁନାହିଁ । କରୋନା ମହାମାରୀ ଲୋକମାନଙ୍କ ମଧ୍ୟରେ ଏପରି ଏକ ଭୟର ବାତାବରଣ ସୃଷ୍ଟି କରିଛି ଯେ, ଘରୁ ଗୋଡ଼ କାଢିବାକୁ ଲୋକମାନେ ସାହସ କରିପାରୁ ନାହାଁନ୍ତି ।
ରାତି ପାହିଲେ ଯେଉଁ ଭୁବନେଶ୍ୱରରେ ଦିନେ ରାସ୍ତା ପାର୍ ହେବାକୁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା, ଆଜି କରୋନା ପ୍ରଭାବରେ ଭୁବନେଶ୍ୱରର ରାସ୍ତା ଶୁନ୍‌ଶାନ୍ । ସକାଳୁ ଉଠି କିଏ ନିଜ ବେପାରକୁ ଯାଉଥିଲା, ତ କିଏ ଦୋକାନ ଖୋଲିବାକୁ, କିଏ ମଲ୍‌କୁ ଯାଉଥିଲା ତ କିଏ ଅଫିସ୍‌, ତ କିଏ ଡ଼ାକ୍ତରଖାନା ଯାଉଥିଲା, କରୋନା ଭୟରେ ସେସବୁ ପୂର୍ବ ଭଳି ଆଉ ଦେଖିବାକୁ ମିଳୁନାହିଁ । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହୋଟେଲ, ରେଷ୍ଟୁରାଣ୍ଟ ଓ ସପିଂ ମଲ୍‌ର ମାଲିକମାନେ ଏକ ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରୁଛନ୍ତି, ରାଜଧାନୀର ରାସ୍ତା କଡ଼ରେ ବେପାର କରି ଗୁଜୁରାଣ ମେଣ୍ଟାଉଥିବା ଲୋକମାନଙ୍କ ଘରେ ଚୁଳି ଜଳୁନି । ଯଦିଓ ଏଇ ନିକଟରେ ସକରାର ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଅନୁମତି ପ୍ରଦାନ କରିସାରିଛନ୍ତି, କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଭଳି ବଢି ଚାଲିଛି, ସେହି ଭୟରେ ହୋଟେଲ ଓ ରେଷ୍ଟୁରାଣ୍ଟରେ କାମ କରୁଥିବା କର୍ମଚାରୀମାନେ ଆଉ ଭୁବନେଶ୍ୱରକୁ ଆସିବାକୁ ମନ ବଳାଉନାହାଁନ୍ତି । ଯଦି ଆଉ କିଛି ମାସ କରୋନା ତାର କାୟାବିସ୍ତାର କରିଚାଲେ, ତେବେ ସମୟ ଆସିବ ଭୁବନେଶ୍ୱରବାସୀ ଗାଁ ମୁହାଁ ହେବେ ଏବଂ କହିବେ, ଭୁବନେଶ୍ୱର, ତୋତେ ଦୁରୁ ଜୁହାର ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ