ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-2022 ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ କୌଣସି ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିନାହାଁନ୍ତି । ତେବେ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ 194 ଟି ଫର୍ମ ଓ ମେୟର ପଦବୀ ପାଇଁ 5 ଟି ଫର୍ମ ଆଶାୟୀ ପ୍ରାର୍ଥୀମାନେ ନେଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ଏଥିପାଇଁ ନିୟମିତ କାର୍ଯ୍ୟ ତଦାରଖ କରୁଛନ୍ତି । ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ 2ରୁ ମାର୍ଚ୍ଚ 7 ତାରିଖ ପର୍ଯ୍ୟନ୍ତ ଫର୍ମ ଗ୍ରହଣ ଓ ଦାଖଲର ଶେଷ ତାରିଖ ରହିଛି । ମନୋନୟନ କାର୍ଯ୍ୟକୁ ସହଜ ଓ ସରଳ କରିବା ପାଇଁ ମନୋନୟନ ଫର୍ମ ସହିତ ଏକ କିତା ଚିଠା ତାଲିକା ପ୍ରଦାନ କରାଯାଉଛି, ଯାହା ଫଳରେ କି ପ୍ରାର୍ଥୀମାନେ ଫର୍ମ ପୂରଣ କରିବାରେ କୌଣସି ଅସୁବିଧା ହେବ ନାହିଁ ଓ ଅଧିକରୁ ଅଧିକ ପ୍ରାର୍ଥୀ ମନୋନୟନ ଫର୍ମ ସଠିକ୍ ଭାବେ ପୂରଣ କରି ଦାଖଲ କରିପାରିବେ । ପ୍ରତିଦିନ ପୂର୍ବାହ୍ନ 11ଟାରୁ 3 ଟା ପର୍ଯ୍ୟନ୍ତ ଫର୍ମ ବିକ୍ରୟ ଓ ଦାଖଲର ସମୟ ରହିଛି । ମନୋନୟନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଓ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ କମିଶନରେଟ୍ ର ସହଯୋଗରେ ମନୋନୟନ କେନ୍ଦ୍ର ସଂଲଗ୍ନ ରାସ୍ତା ଓ ମନୋନୟନ କେନ୍ଦ୍ରରେ ବେରିକେଡ୍ ବ୍ୟବସ୍ଥା ସହ ବ୍ୟାପକ ପୁଲିସ୍ ମୁତୟନ ବ୍ୟବସ୍ଥା କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କୁ ମନୋନୟନ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ 11 ଜଣ ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କୁ ନେଇ 11 ଟି ଟିମ୍ ଗଠନ କରାଯାଇଛି । ମନୋନୟନ କେନ୍ଦ୍ରରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଥିପାଇଁ ବିଭିନ୍ନ କାଉଣ୍ଟର ଗଣମାଧ୍ୟମକୁ ସୂଚନା ପ୍ରଦାନ ପାଇଁ ମିଡିଆା ସେଲ୍ ଖୋଲାଯାଇଛି । ମନୋନୟନ କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣା ଏବଂ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ମନୋନୟନ ପତ୍ର ଦାଖଲ ସମୟରେ ପ୍ରାର୍ଥୀ ବା ତାଙ୍କ ଦ୍ୱାରା ପ୍ରାଧିକୃତ ବ୍ୟକ୍ତିଙ୍କ ସମେତ ସର୍ବାଧିକ 4 ଜଣ ବ୍ୟକ୍ତିଙ୍କୁ ମନୋନୟନ କେନ୍ଦ୍ରକୁ ଆସିବାକୁ ବ୍ୟବସ୍ଥା ରହିଛି । ମନୋନୟନ ତଥା ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ