ଭୁବନେଶ୍ୱର ରେଳ ଷ୍ଟେସନ ହେବ ବହୁମୁଖୀ ପରିବହନ କେନ୍ଦ୍ର ଓଡ଼ିଶା ସରକାର
ରେଳ ମନ୍ତ୍ରଣାଳୟ ତତ୍ୱାବଧାନରେ ପୂର୍ବତଟ ରେଳପଥ ଭୁବନେଶ୍ୱର ଷ୍ଟେସନକୁ ବହୁମୁଖୀ ପରିବହନ କେନ୍ଦ୍ର ଭାବେ ବିକଶିତ କରିବ । ଏଥିପାଇଁ ଓଡ଼ିଶା ସରକାରଙ୍କ ସହିତ ନୂଆଦିଲ୍ଲୀରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ, ପୀୟୂଷ ଗୋଏଲ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଏହି ବୁଝାମଣା ସ୍ୱାକ୍ଷର ସମାରୋହରେ ସାମିଲ ହୋଇଥିଲେ । ବୁଝାମଣା ଅନ୍ତର୍ଗତ ରେଳ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାର ମିଳିତ ଭାବେ ଭୁବନେଶ୍ୱର ଷ୍ଟେସନକୁ ବହୁମୁଖୀ ପରିବହନ କେନ୍ଦ୍ର ଭାବେ ବିକଶିତ କରିବେ । ଏହି ବହୁମୁଖୀ କେନ୍ଦ୍ରର ବିକାଶ ତିନି ବର୍ଷ ମଧ୍ୟରେ ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏଥିରେ ରେଳ ଷ୍ଟେସନ ଲାଗି ନୂଆ ଟର୍ମିନାଲ ଭବନର ନିର୍ମାଣ କରାଯିବ । ଏଥରେ ସିଟି ବସ ଟର୍ମିନାଲ, ସାଧାରଣ କାର ପାର୍କିଂ ସ୍ଥାନ ଏବଂ ଅନ୍ୟ ଆନୁସଙ୍ଗିକ ସର୍ବସାଧାରଣ ସୁବିଧା ଉପଲବ୍ଧ ହେବ । ରେଳ ଷ୍ଟେସନର ଉଭୟ ପାଶ୍ୱର୍ରେ ଥିବା ଜମିର ମିଶ୍ରିତ ଉପଯୋଗ କରି ବିକଶିତ କରାଯିବ । ଏହି ଅବସରରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସାଧାରଣ ନାଗରିକ ଏହି ପ୍ରକଳ୍ପ ଦ୍ୱାରା ଅଧିକ ଲାଭବାନ ହେବେ ଏବଂ ଏହି କ୍ଷେତ୍ରରେ ଏହା ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ବିକାଶ ଲାଗି ରେଳ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହା ଏକ ବିଶ୍ୱସ୍ତରୀୟ ବହୁମୁଖୀ ପରିବହନ କେନ୍ଦ୍ର ହେବ । ଏହା ମଧ୍ୟ ଦେଶରେ ଏହି ଧରଣର ପ୍ରଥମ କେନ୍ଦ୍ର ହେବ । ଏହି ଅବସରରେ ଶ୍ରୀ ପୀୟୂଷ ଗୋଏଲ କହିଥିଲେ ଯେ ଭାରତୀୟ ରେଳପଥ ବିଶ୍ୱସ୍ତରୀୟ ମୌଳିକ ଭିତିଭୂମି ନିର୍ମାଣ କରିବା ଲାଗି ଲକ୍ଷ୍ୟ ରଖିଛି । ସେ କହିଥିଲେ ଯେ ଓଡ଼ିଶା ସରକାର ଭୁବନେଶ୍ୱର ରେଳ ଷ୍ଟେସନକୁ ବହୁମୁଖୀ ପରିବହନ କେନ୍ଦ୍ର ଭାବେ ବିକଶିତ କରିବା ଲାଗି ରେଳ ମନ୍ତ୍ରଣାଳୟ ସହିତ ସହଯୋଗ କରିବା ଲାଗି ଆଗେଇ ଆସିବା ଖୁସିର କଥା ।