ଭୁବନେଶ୍ୱର ରେ ବଢୁଛି ଶ୍ରୀମୟୀ ଙ୍କ ଲୋକପ୍ରିୟତା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଘୋଷଣା ହୋଇନି ନିର୍ବାଚନ ତାରିଖ, ହେଲେ ଜମି ଆସିଲାଣି ରାଜନୈତିକ ମାହୋଲ୍ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି କ୍ଷେତ୍ର ପ୍ରସ୍ତୁତ । ଓଡ଼ିଶା ର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ଦଳୀୟ ନେତା ଓ ଆଶାୟୀ ପ୍ରାର୍ଥୀ ଏବେଠାରୁ ଆରମ୍ଭ କରୁଛନ୍ତି ରଣନୀତି । ରାଜ୍ୟର ସବୁଠାରୁ ଚର୍ଚ୍ଚିତ ସଂସଦୀୟ କ୍ଷେତ୍ର ଭୁବନେଶ୍ୱର ରେ କିନ୍ତୁ ଏବେଠାରୁ ନିର୍ବାଚନୀ ମାହୋଲ୍ । ଗତ ନିର୍ବାଚନ ରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ପ୍ରାର୍ଥିନୀ ଭାବେ ଅପରାଜିତା ଷଡ଼ଙ୍ଗୀ ବିଜୟଲାଭ କରିଥିଲେ । ଆଉ ଏଥର ଅପରାଜିତା ଙ୍କୁ ଚେକ୍ ଦେବା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣେଇଛି ବିଜୁ ଜନତା ଦଳ । ନିଜର ପାରମ୍ପରିକ ସିଟ ଭୁବନେଶ୍ୱର ଲୋକସଭା ଆସନକୁ ବିଜେପିଠୁ ଛଡ଼ାଇ ଆଣିବା ପାଇଁ ବିଜେଡି ଏଥର ଆଗୁଆ ରଣନୀତି କରି ଦଳର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଯୋଜନାବଦ୍ଧ ଭାବେ ଆଗକୁ ଆଣିଛି । ଦଳର ଜନସମ୍ପର୍କ ପଦଯାତ୍ରାରେ ଭୁବନେଶ୍ୱର ଲୋକସଭା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଏବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସବୁ ବିଧାନସଭା ମଣ୍ଡଳୀରେ ଜୋରଦାର ରୋଡ୍ ଶୋ’, ମହିଳା ସମାବେଶ ଓ ଘରକୁ ଘର ବୁଲି ଲୋକଙ୍କୁ ଭେଟୁଛନ୍ତି । ନୂଆବର୍ଷ ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଏବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଚାରିଆଡ଼େ ଶ୍ରୀମୟୀଙ୍କ ପୋଷ୍ଟର ଛାଇ ହୋଇଯାଇଛି।ଶ୍ରୀମୟୀ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ସାଂସଦ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଥିବାରୁ ତାଙ୍କର ସଭାସମିତି ଓ ପଦଯାତ୍ରାରେ ବି ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଯୋଜନାକୁ ଆଧାର କରି ଶ୍ରୀମୟୀ ଏବେ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଛାତ୍ରୀ ଜୀବନରୁ ରାଜନୀତି ସହ ଜଡ଼ିତ ଥିବା ଶ୍ରୀମୟୀ ମିଶ୍ର ବିଗତ ଦିନରେ ଦଳର ସାଂଗଠନିକ କାର୍ଯ୍ୟ ତୁଲାଇ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛନ୍ତି । ଓଟିଡ଼ିସି ଅଧ୍ୟକ୍ଷା ଥିବାବେଳେ ଅନେକ ଆଖିଦୃଶିଆ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ ଓ କୋଠାବାଡ଼ି କଲ୍ୟାଣ ବୋର୍ଡ ମୁଖ୍ୟ ଦାୟିତ୍ୱ ଦେଇଛନ୍ତି । ବିଜେଡ଼ି ସାଧାରଣ ସମ୍ପାଦକା ଓ ମୁଖପାତ୍ର ଭାବେ ବିଭିନ୍ନ ପ୍ରସଙ୍ଗ ରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ଙ୍କ ଦୋଷ ଦୁର୍ବଳତା କୁ ସାମ୍ନା କୁ ଆଣିଛନ୍ତି । ସୋସିଆଲ୍ ମିଡ଼ିଆରେ ମଧ୍ୟ ଶ୍ରୀମୟୀଙ୍କ ସମର୍ଥକ ମାନେ ଜୋରଦାର୍ ପ୍ରଚାର ଆରମ୍ଭ କରିଛନ୍ତି । ଖୁବ୍ କମ୍ ଦିନ ମଧ୍ୟରେ ଶ୍ରୀମୟୀ ମିଶ୍ର ଏବେ ଭୁବନେଶ୍ୱର ବାସୀ ଙ୍କ ପ୍ରିୟଭାଜନ ହୋଇଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ରାଣ୍ଡ୍ ଓ ଶ୍ରୀମୟୀ ମିଶ୍ର ଙ୍କ ବଢୁଥିବା ଲୋକପ୍ରିୟତା କୁ ଦେଖିଲେ ଆଗାମୀ ନିର୍ବାଚନରେ ଭୁବନେଶ୍ୱରରେ ବିଜେଡ଼ି ଯେ ବିଜୟ ବାନା ଉଡ଼ାଇବ ଏଥିରେ ସନ୍ଦେହ ନାହିଁ ବୋଲି ରାଜନୈତିକ ପଣ୍ଡିତ ମାନେ ଆକଳନ କରୁଛନ୍ତି ।