ଭୁବନେଶ୍ୱର : ଲାଞ୍ଚ ନେଇ ରାଜସ୍ୱ ଅଧିକାରୀ ଗିରଫ
ଭୁବନେଶ୍ୱର : ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତହସିଲ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଦେବଦତ୍ତ ମିଶ୍ରଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଅଧିକାରୀ ଗିରଫ କରିଛନ୍ତି । ତାଙ୍କଠାରୁ ମଧ୍ୟ ୫ ହଜାର ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ମଧ୍ୟ ତାଙ୍କ କାର୍ଯ୍ୟାଳୟ ସହ ବାଣପୁର ଘରେ ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଉଛି । ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମଧ୍ୟ ଆକଳନ କରାଯାଉଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସୂର୍ଯ୍ୟକାନ୍ତ ସାହୁ ନାମକ ଆଇନଜୀବୀ ୫ଟି ମ୍ୟୁଟେସନ ଫାଇଲ ରେକର୍ଡ ବଦଳାଇବାକୁ ଚାହୁଁଥିଲେ । କିନ୍ତୁ ଏ ବାବଦରେ ରାଜସ୍ୱ ଅଧିକାରୀ ଶ୍ରୀ ମିଶ୍ର ତାଙ୍କୁ ଲାଞ୍ଚ ମାଗୁଥିଲେ । ସୂର୍ଯ୍ୟକାନ୍ତ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଜି ଯୋଜନା ମୁତାବକ, ଅଧିକାରୀମାନେ ତହସିଲ କାର୍ଯ୍ୟାଳୟ ନିକଟରେ ଜଗି ରହିଥିଲେ । ଦେବଦତ୍ତ ୫ ହଜାର ଟଙ୍କା ଲାଞ୍ଚ ନେବା କ୍ଷଣି ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଥିଲା ।