ଭୁମି ଅଧିକାର ପ୍ରମାଣପତ୍ର ପାଇଥିବା ହିତାଧିକାରୀ ମାନଙ୍କୁ ପକ୍କା ଘର ପ୍ରଦାନ କରିବା ନିମନ୍ତେ ଦାବି
ଛତ୍ରପୁର, (ଦେବଦତ୍ତ ମହାରଣା) :ଓଡିଶା ସରକାରଙ୍କ ସହରାଂଚଳ ବସ୍ତି ବାସିନ୍ଦା ଅଧିକାର ଅଧିନିୟମ ୨୦୧୭ ନିୟନ୍ତ୍ରଣ ପ୍ରକାରେ ଭୁମି ଅଧିକାର ପ୍ରମାଣପତ୍ର ପାଇଥିବା ହିତାଧିକାରୀ ମାନଙ୍କୁ ତୁରନ୍ତ ପକ୍କା ଘର ପ୍ରଦାନ କରିବା ଦାବି ନେଇ ବୁଧବାର ପୋଲସରା ଏନଏସିର ଆଡୁଆ ସାହିର ହିତାଧିକାରୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସେମାନଙ୍କ ସମସ୍ୟା ଗୁଡିକ ଜିଲ୍ଲାପାଳଙ୍କୁ ଅବଗତ କରିବା ନିମନ୍ତେ ଅପେକ୍ଷା କରିଥିଲେ । ଏହାର ସୂଚନା ପାଇ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ହିତାଧିକାରୀ ମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଗୁଡିକ ପଚାରି ବୁଝିବା ସହ ଏହା କିପରି କାର୍ଯ୍ୟକାରୀ ହେବ ସେଥି ନିମନ୍ତେ ତହସିଲଦାର ଓ ଇଓଙ୍କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ପୋଲସରା ଏନଏସି ତରଫରୁ ଆଡୁଆ ସାହିରେ ବସବାସ କରୁଥିବା ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦତ୍ତ (ଭୁମି ଅଧିକାର) ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲେ ସୁଦ୍ଧା ସେମାନଙ୍କୁ ଏ ପର୍ଯ୍ୟନ୍ତ ପକ୍କା ଘର ପ୍ରଦାନ କରାଯାଇନଥିବାରୁ ବହୁ ହିତାଧିକାରୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇ ଆସୁଛନ୍ତି । ଏଣୁ ସେମାନଙ୍କୁ ତୁରନ୍ତ ପକ୍କା ଘର ପ୍ରଦାନ କରିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ହିତାଧିକାରୀ ସାବିତ୍ରୀ ନାୟକ, ମନ୍ଦାକିନୀ ନାୟକ, ଶାନ୍ତି ନାୟକ, ବାସନ୍ତି ନାୟକ, ସୁଜତା ନାୟକ, ପିଙ୍କି ନାୟକ, ସନ୍ତୋଷୀ ନାୟକଙ୍କ ସମେତ ବହୁ ବସ୍ତି ବାସିନ୍ଦା ମାନେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ ।


