ଭୁଲ ଅପରେସନ ଯୋଗୁଁ ରୋଗୀ ଜୀବନ ବିପଦରେ ଥିବା ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. କର୍ଣ୍ଣ ନାୟକଙ୍କ ଦ୍ୱାରା ପପୁରାଲ ନର୍ସିଂହୋମରେ ଅପରେସନ ହୋଇ ଏକ କନ୍ୟାସନ୍ତାନ ଜନ୍ମଦେଇଥିବା ମହିଳାଙ୍କର ଭୁଲ ଅପରେସନ ଯୋଗୁଁ ତାଙ୍କ ଜୀବନ ଏବେ ବିପଦ ପୂର୍ଣ୍ଣ ହୋଇପଡିଥିବା କେନ୍ଦ୍ରାପଡା ଟାଉନ ଥାନାରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଟାଉନ ଥାନା ପୋଲିସ ସେହି ଅଭିଯୋଗ ଉପରେ ଥାନା କେଶ ନମ୍ବର ୫୬/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ ଗ୍ରାମର ଶଙ୍କର ମଣ୍ଡଳ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ରାଧାରାଣୀ ମଣ୍ଡଳଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ଆଶାଙ୍କ ସହାୟତାରେ କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ପପୁଲାର ନର୍ସିଂହୋମରେ ଡାକ୍ତର କର୍ଣ୍ଣ ନାୟକଙ୍କ ତତ୍ୱାବଧାନରେ ଗତ ୨୧ତାରିଖରେ ଆଡମିଶନ କରାଇଥିଲେ । ସେଠାରେ ତାଙ୍କ ପତ୍ନୀଙ୍କର ଡା. ନାୟାକଙ୍କ ଦ୍ୱାରା ଅପରେସନ କରାଯିବା ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରଦିନ ତାଙ୍କ ପତ୍ନୀଙ୍କୁ ଭଲ ଅଛି ବୋଲି କୁହାଯାଇ ପପୁଲାର ନର୍ସିଂହୋମରୁ ଡିସଚାର୍ଜ କରିଦିଆଯାଇଥିଲା । ଘରକୁ ଯିବାର ୩ଦିନ ପରେ ତାଙ୍କ ପତ୍ନୀଙ୍କର ପରିଶ୍ରା ଦ୍ୱାର ଦେଇ ମଳ ବାହାରକୁ ଆସିବା ସହିତ ଭିଷଣ ଯନ୍ତ୍ରଣା ହୋଇଥିଲା । ଏସମ୍ପର୍କରେ ଶଙ୍କର ପତ୍ନୀଙ୍କୁ ଆଣି ସେହି ନର୍ସିଂହୋମରେ ପହଞ୍ଚିଥିଲେ ମଧ୍ୟ ନର୍ସିଂହୋମ କିମ୍ବା ଚିକିତ୍ସା କରୁଥିବା ଡାକ୍ତର ନାୟକଙ୍କ ପକ୍ଷରୁ କୈାଣସି ସହଯୋଗ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟଏକ ନର୍ସିଂହୋମକୁ ଯାଇ ସେଠାରୁ ଔଷଧପତ୍ର ନେଇ ଖାଇଥିଲେବି ଯନ୍ତ୍ରଣାର କୈାଣସି ଉପସମ ହୋଇନାହିଁ । ପରନ୍ତୁ ଅପରେସନ ସମୟରେ ତାଙ୍କ ପତ୍ନୀଙ୍କ ନଳୀ କଟିଯାଇ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ବେପରୁଆ ଭାବେଌିଲ୍ଲା ମୁଖ୍ୟ ଚିକିତ୍ସାଳୟର କେତେକ ଡାକ୍ତର ଲୋକଙ୍କ ଜୀବନ ସହିତ ବାରମ୍ବାର ଖେଳୁଥିବା ଅଭିଯୋଗ ହୋଇଆସୁଥିଲେବି ଅଦ୍ୟାବଧି କୈାଣସି ଦୃଷ୍ଟନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।


