ଭୁଲ ଇଞ୍ଜେକସନ ଯୋଗୁଁ ନାବାଳକର ମୃତ୍ୟୁ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ କୃଷ୍ଣନଗର ଗ୍ରାମପଞ୍ଚାୟତର ଶୈଳେନ୍ଦ୍ରନଗର ଗ୍ରାମର ରାଜୁ ଜେନାଙ୍କ ୧୧ବର୍ଷର ପୁଅ । ରାଜୁଙ୍କ ପୁଅକୁ ଜର ହୋଇଥିବାରୁ ତାକୁ ନେଇ ରାଜୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । କିନ୍ତୁ ସେଠାରେ ପୁଅର ସ୍ୱାସ୍ଥ୍ୟାବସ୍ଥାରେ କୈାଣସି ଉନ୍ନତି ପରିଲକ୍ଷିତ ନହେବାରୁ ରାଜୁ ପୁଅକୁ କେନ୍ଦ୍ରାପଡା ସହରର ଶିଶୁ ରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ରଙ୍କ କ୍ଲିନିକକୁ ନେଇଥିଲେ । ଡା. ମିଶ୍ର ରାଜୁଙ୍କ ପୁଅକୁ ପରୀକ୍ଷା ନିରିକ୍ଷା କରିବା ପରେ ଏକ ଇଞ୍ଜେକସନ ଲେଖିଦେବା ସହ ନିକଟସ୍ଥ ଔଷଧ ଦୋକାନରୁ ସେହି ଇଞ୍ଜେକସନ ଆଣିବାକୁ କହିଥିଲେ । ଡା. ମିଶ୍ରଙ୍କ ପରାମର୍ଶ କ୍ରମେ ରାଜୁ ଔଷଧ ଆଣିବା ପରେ ଡା. ମିଶ୍ର ରାଜୁଙ୍କ ପୁଅକୁ ସେହି ଇଞ୍ଜେକସନଟି ଦେଇଥିଲେ । ଏହାର କିଛି ସମୟ ପରେ ରାଜୁଙ୍କ ପୁଅର ମୃତ୍ୟୁ ହୋଇଯାଇଥିଲା । ଏକଜଥା ଜାଣି ପାରି ଡା. ମିଶ୍ର ରାଜୁଙ୍କ ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ରାଜୁ ତାଙ୍କ ପୁଅକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କ ପୁଅକୁ ମୃତ୍ୟୁ ଘୋଷଣା କରିଥିଲେ । ଭୁଲ ଇଞ୍ଜେକସନ ଯୋଗୁଁ ପୁଅର ମୃତ୍ୟୁ ଘଟିଲା ବୋଲି ରାଜୁ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏସଂକ୍ରାନ୍ତରେ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଚାଲିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସଂକ୍ରାନ୍ତରେ ଡାକ୍ତର କିଶୋର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ରୋଗୀକୁ ନିମୋନିଆ ଜ୍ୱର ହୋଇଥିଲା । ସେହି ଅନୁଯାୟୀ ଇଞ୍ଜେକସନ ଦିଆଯାଇଥିଲା । ଭୁଲ ଇଞ୍ଜେକସନ ଦିଆଯାଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।