ଭୂତକୋଠି ପାଲଟିଛି ଗୋଷ୍ଠୀ ଶୌଚାଳୟ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଏନ୍ଏସି ର ୮ନଂ ୱାର୍ଡ ଦିପିଦଣ୍ଡାଠାରେ ଏନ୍ଏସି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ରେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା।ତେବେ ଖୁବ୍ କମ୍ ଦିନ ମଧ୍ୟରେ ଏହା ରକ୍ଷଣାବେକ୍ଷଣ ଓ ପରିଚାଳନା ଗତ ତୃଟି କାରଣ ରୁ ପରିତ୍ୟକ୍ତ ହୋଇ ଭୂତକୋଠୀ ରେ ପରିଣତ ହୋଇଛି। ଉକ୍ତ ଶୌଚାଳୟ ଟି ଲଟା, ଝଟା, ଆବର୍ଜନା ରେ ପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି। ପୌରବାସୀ ଙ୍କ ଶୌଚକାର୍ଯ୍ଯ ପାଇଁ ଯେଉଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା ତାହା ବିଭାଗୀୟ ଅଧିକାରୀ ମାନଙ୍କ ବେପରୁଆ ମନୋଭାବ କାରଣ ରୁ ଏବେ ପାଣି ରେ ପଡିଛି ବୋଲି ପୌର ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ଗୋଷ୍ଠି ଶୌଚାଳୟ ଟି ଏବେ ସରୀସୃପ ମାନଙ୍କ ବାସସ୍ଥାନ ପାଲଟିଥିବାରୁ ଲୋକ ମାନେ ଏଠାକୁ ଶୌଚକ୍ରିୟା କରିବାକୁ ଯାଉନାହାନ୍ତି। ଏନ୍ଏ ସି ପକ୍ଷରୁ ନିଯୁକ୍ତ ସଫେଇ କର୍ମଚାରୀ ମାନେ କେବଳ ସହର ସ୍ଥାନ, ବସ ଷ୍ଟାଣ୍ଡ କୁ ସଫେଇ ସଫା କରି ନିଜ ଦାଇତ୍ୱ ଶେଷ କରୁଛନ୍ତି। ୧ନଂ ୱାର୍ଡ ଠାରୁ ୮ନଂ ୱାର୍ଡ ପର୍ଯ୍ୟନ୍ତ ଅଞ୍ଚଳ ରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହୋଇଥିବା ବେଳେ ଏ ସବୁକୁ କେହି ସଫା କରିବା ଦିଗରେ ପଦକ୍ଷେପ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଫଳରେ ବିଭିନ୍ନ ସ୍ଥାନ ରେ ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ସଂଧ୍ୟା ହେଲେ ବିଭିନ୍ନ ସ୍ଥାନ ରେ ମଶା ମାନଙ୍କ ପାଦୃଭାବ ଏତେ ବୃଦ୍ଧି ପାଉଛି ଯେ କୌଣସି ସ୍ଥାନ ରେ ଠିଆ ହେବା କଷ୍ଟକର ହୋଇ ପଡ଼ୁଛି। ଏନ୍ଏସି ର ବୈଠକ ରେ ଏ ସମ୍ପର୍କ ରେ ବାରମ୍ବାର କର୍ପୋରେଟର ମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନ ଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ପରିତ୍ୟକ୍ତ ହୋଇପଡ଼ିଥିବା ଗୋଷ୍ଠୀ ଶୌଚାଳୟ କୁ କାର୍ଯ୍ୟକ୍ଷମ କରିବା ସହିତ ପୌରାଞ୍ଚଳ ରେ ସଫେଇ କାର୍ଯ୍ୟ କୁ ତ୍ଵରାନିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।