ଭୂତ ଭୟରେ ଗାଁ ଛାଡ଼ିଲେ ୫ ପରିବାର
ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର ପଞ୍ଚାୟତ ଅଧୀନ ଗୁଣ୍ଡୁରାବାରି ଗାଁରେ ଭୂତ ଭୟରେ ୫ଟି ପରିବାର ଗାଁ ଛାଡ଼ିଥିବା ଅଭିଯୋଗ ହୋଇଛି । ଖବର ନେବାରେ ଜଣାଯାଇଛି ଯେ ରଣପୁର ବ୍ଲକ ସୁନାଖଳା ଦର୍ପନାରାୟଣପୁର ରାସ୍ତାରେ ଗୁଣ୍ଡୁରାବାରି ଗାଁରେ ଦୀର୍ଘ ବର୍ଷ ଧରି ୫ଟି ହରିଜନ ପରିବାର ରହି ଆସୁଥିଲେ । ତେବେ ବିବାହର କିଛି ମାସ ପରେ ଏଠିକାର ପୁରୁଷମାନେ ରକ୍ତ ବାନ୍ତି କରି ମୃତ୍ୟୁ ମୁଖରେ ପଡ଼ୁଥିବା ଦେଖାଯାଇଥିଲା । ଫଳରେ ଗାଁରେ ଭୂତ ଥିବା ଆଶଙ୍କା କରି ଏବେ ଗାଁର ଛବି ନାୟକ, ଗଦାଧର ନାୟକ, ଶରତ ନାୟକଙ୍କ ପରିବାର ଲେକେ ନିଜ ଘରର କବାଟ, ଝରକା ତାଡ଼ି ଜିନିଷପତ୍ର ବୋହି ନେଇ ଗାଁ ଛାଡ଼ିଥିବା ଜଣାଯାଇଛି ।
ଆଧୁନିକ ସଭ୍ୟତାରେ ଭୂତ ପ୍ରେତ ଭଳି ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ପାଇଁ ଅଞ୍ଚଳର ବରିଷ୍ଠ ନାଗରିକମାନେ ବୁଝାଇଥିଲେ ମଧ୍ୟ ସମ୍ପୃକ୍ତ ପରିବାର ଲୋକେ କିଛି ବୁଝିବାକୁ ନାରାଜ । ଅପରପକ୍ଷେ ଉକ୍ତ ପରିବାର ସଦସ୍ୟ ଜଣେ ଗୁଣିଆଙ୍କୁ ଏ ସମ୍ପର୍କରେ ପଚାରିବାରୁ ଗାଁରେ କେହି ପୁରୁଷ ରହିବେନି ବୋଲି ସେ କହିଥିଲେ । ଏଥିପାଇଁ ସେମାନେ ଗାଁ ଛାଡ଼ି ପଳାଇଗଲେ ବୋଲି ସରପଞ୍ଚ ଧ୍ରୁବଚରଣ ପ୍ରଧାନ କହିଛନ୍ତି । ଏପରିକି ଗୁଣ୍ଡୁରାବାରି ହରିଜନ ପରିବାରର କହିବାନୁଯାୟୀ ବିବାହର କିଛି ମାସ ମଧ୍ୟରେ ବିବାହିତ ଯୁବକଙ୍କ ମୃତ୍ୟୁ ହେଉଥିବା ବେଳେ ପରିବାର ସେମାନଙ୍କ ମଧ୍ୟରେ ଭୟ ସଞ୍ଚାର ହେବାରୁ ଏଭଳି କରିଥାଇପାରନ୍ତି ବୋଲି ସରପଞ୍ଚ ଶ୍ରୀ ପ୍ରଧାନ କହିଛନ୍ତି ।


