ଭୂବନେଶ୍ବର ରୁ ଚାଲି ଚାଲି ଆସିଥିବା ୫ଜଣ ବ୍ୟକ୍ତି ଖଣ୍ଡିଆନଈ କ୍ୱାରାନଟାଇନରେ ଭର୍ତ୍ତି
କୋଦଳା,(ଗୁଲସନ କୁମାର):କରୋନା ଭୂତାଣୁ ସଂକ୍ରମଣ ଦେଶରେ ହଲଚଲ ସୃଷ୍ଟି କରିଥିଲା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ଦେଶ ତଥା ରାଜ୍ୟବ୍ୟାପୀ ଲକ୍ ଡାଉନ ଜାରି ରହିଛି। ତେବେ ଏହି ଲକ୍ ଡାଉନ୍ ରେ ଅଧିକ ପ୍ରଭାବିତ ହେଉଛନ୍ତି ଦାଦନ ଶ୍ରମିକ। ପ୍ରାପ୍ତ ସୂଚନା ମୁତାବକ ରାଜ୍ୟର କରୋନା ହଟସ୍ପଟ ଭୂବନେଶ୍ବର ର ଲିଗିଂପୁର ଅଞ୍ଚଳରେ ଏକ ସିମେଣ୍ଟ ଇଟା ଫ୍ଯାକ୍ଟ୍ରିରେ କାମ କରୁଥିଲେ ୫ ଜଣ ବ୍ୟକ୍ତି। ଏମାନେ ସମସ୍ତେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ପଞ୍ଚାୟତର ଦେଉଳିଆପଡା ଗ୍ରାମର ହୋଇଥିବା ବେଳେ ଲକ୍ ଡାଉନ୍ ରେ ଫସି ରହିଯାଇଥିଲେ ।ଏମାନଙ୍କ ପାଖରେ ଅର୍ଥ ଅଭାବରୁ ଯନ୍ତ୍ରଣା ସହି ନପାରି ବାଧ୍ୟ ହୋଇ ଭୂବନେଶ୍ବରରୁ ଚାଲି ଚାଲି ଗାଁ କୁ ଫେରିବାକୁ ନେଇଥିଲେ ନିଷ୍ପତ୍ତି। ତାଙ୍କ ଗ୍ରାମ ଦେଉଳିଆପଡା ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନର ପରାମର୍ଶ କ୍ରମେ ସେମାନଙ୍କୁ ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ କ୍ୱାରାନଟାଇନରେ ରଖାଯାଇଛି। ସରକାରଙ୍କ ନିୟମ ଅନୁସାରେ ୧୪ ଦିନ ରହିବେ ସମସ୍ତ ବ୍ୟକ୍ତି ।ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି। ଏବେ ଲକ୍ ଡାଉନ୍ ପରେ ବାହାରୁ ଆସିଲେ ପଞ୍ଜୀକରଣ ଜରୁରୀ ଓ କ୍ୱାରାନଟାଇନରେ ୧୪ ଦିନ ରଖାଯିବାକୁ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏନେଇ ଗାଁ ମାନଙ୍କରେ ଯଥେଷ୍ଟ ସଚେତନତା କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।