ଭେଟେରାନ୍ସ କ୍ଲବର ଦ୍ୱିତୀୟ ବାର୍ଷିକ ସାଧାରଣ ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ଶହୀଦନଗରସ୍ଥିତ ଏମ୍ପାୟାର୍ସ ହୋଟେଲ ପରିସରରେ ଭେଟେରାନ୍ସ କ୍ଲବ ପକ୍ଷରୁ ଓଡ଼ିଶାର ଦ୍ୱିତୀୟ ବାର୍ଷିକ ସାଧାରଣ ବୈଠକ ଭେଟେରାନ ନିତାଇଗୌର ଧଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସଙ୍ଗୀତ ଗାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଭେଟେରାନ ନିତାଇଗୌର ଧଳ ଭେଟେରାନ୍ସ କ୍ଲବର ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ସହ ଭୂମି ଅଧିଗ୍ରହଣ ଏବଂ ପ୍ରସ୍ତାବିତ ‘ୱାର ମେମୋରିଆଲ’ର ନୀଳ ନକ୍ସା ସହିତ ଭେଟେରାନ୍ସଙ୍କ ପାଇଁ ତାଲିମ କେନ୍ଦ୍ର, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ସନ୍ତରଣ ସ୍ଥଳ ଆଦିର ବିଶଦ୍ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସଭାପତି ତଥା ଭେଟେରାନ୍ସ କ୍ଲବର ଆବାହକ ଭେଟେରାନ ବିଦ୍ୟାଧର ନାୟକ ଏହି କ୍ଲବ ପ୍ରତିଷ୍ଠାର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଉପରେ ଆଲୋକପାତ କରି ଲାକଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିବା ସହ ସୀମାରେ କାର୍ଯ୍ୟରତ ସୈନିକମାନଙ୍କ ପ୍ରତି ସମ୍ମାନ ତଥା ଅବସରପ୍ରାପ୍ତ ସୈନିକମାନଙ୍କ ସମ୍ମାନପୂର୍ବକ ସହାବସ୍ଥାନ ପାଇଁ ଭେଟେରାନ୍ସ କ୍ଲବ ଉତ୍ସର୍ଗୀକୃତ ଭାବରେ କାମ କରିବ ବୋଲି କହିଥିଲେ । ଓଡ଼ିଶାର ପ୍ରଭୂତ କ୍ଷତି ଘଟାଇଥିବା ଫନି ବାତ୍ୟା ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ କ୍ଲବ ପକ୍ଷରୁ ଏକ ଲକ୍ଷ ଟଙ୍କାର ସହଯୋଗ ରାଶି ସହ ଦିବଙ୍ଗତ ଦୁଇ ମେରାଇନ୍ ପୋଲିସ୍ ଅଧିକାରୀଙ୍କ ଅକାଳ ବିୟୋଗରେ ସେମାନଙ୍କ ପ୍ରତି ପରିବାରଙ୍କୁ ୧ ଲକ୍ଷ ୫୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ସଂଗ୍ରହ କରି ପ୍ରଦାନ କରାଯିବା ବିଷୟ ବର୍ଣ୍ଣନା କରିଥିଲେ । ଭେଟେରାନ୍ସ କ୍ଲବର ଏଭଳି ମହାନ୍ କାର୍ଯ୍ୟ ପାଇଁ ଉପସ୍ଥିତ ସମସ୍ତ ସଭ୍ୟ କରତାଳି ସହ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତଙ୍କ ସହଯୋଗ ଏବଂ ଶୁଭକାମନା ସହ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ବାତାବରଣ ମଧ୍ୟରେ ଭେଟେରାନ ସରୋଜ କୁମାର ରଥ ନୂତନ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଭେଟେରାନ ସମରେନ୍ଦ୍ର ପରିଜା ବୈଠକର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସମାପନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭେଟେରାନ ବିମଳ ପ୍ରସାଦ ବାରିକ, ଅଜୟ କୁମାର ନାୟକ, ହରପ୍ରସାଦ ଦୋରା, ବିଷ୍ଣୁପ୍ରସାଦ ଦାଶ, ଅନ୍ତର୍ଯ୍ୟାମୀ ଦାଶ, ଦୀନବନ୍ଧୁ ଷଡ଼ଙ୍ଗୀ, କ୍ୟାପ୍ଟେନ ରବୀନ୍ଦ୍ର କୁମାର ପଟ୍ଟନାୟକ, ସେନା ମେଡ଼ାଲ ରବୀନ୍ଦ୍ର କୁମାର ସାହୁ, ଜଗତ ପଟ୍ଟନାୟକ, ଗୋପୀନାଥ ମିଶ୍ର, ମନୋଜ କୁମାର ସେନାପତି, ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।