ଭେଣ୍ଟିଲେଟର୍ ଲୋଡ଼ୁଥିବା ଦେଶକୁ ଭରପୂର ସହାୟତା କରାଯିବ: ଟ୍ରମ୍ପ୍
ୱାଶିଂଟନ୍: ସାମ୍ପ୍ରତିକ ସମୟରେ ବିଶ୍ବରେ ୧୯୦ରୁ ଊର୍ଦ୍ଧ୍ବ ରାଷ୍ଟ୍ର ଘାତକ କୋରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛନ୍ତି। ଏହି ଯୁଦ୍ଧରେ ଭେଣ୍ଟିଲେଟର୍ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ଅନେକ ଦେଶରେ ଏହା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉନାହିଁ। ଏହିପରି ଦେଶକୁ ଭେଣ୍ଟିଲେଟର୍ ଯୋଗାଇ ଦେବା ସକାଶେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଶୁକ୍ରବାର ଟ୍ରମ୍ପ୍ ଏହି ସୂଚନା ଦେଇ କହିଛନ୍ତି ଯେ ଆମେରିକାର ସହଯୋଗୀ ଓ ବନ୍ଧୁ ରାଷ୍ଟ୍ର ଭେଣ୍ଟିଲେଟର୍ ଲୋଡ଼ୁଥିଲେ ସେମାନଙ୍କୁ ନିଶ୍ଚିତ ଭାବେ ଏ କ୍ଷେତ୍ରରେ ସହାୟତା କରାଯିବ। ଆମେରିକାରେ ଆକ୍ରାନ୍ତଙ୍କ ପରିମାଣ ଏକ ଲକ୍ଷରୁ ଊର୍ଦ୍ଧ୍ବରେ ପହଞ୍ଚିଥିଲେ ହେଁ ଭେଣ୍ଟିଲେଟରର ଉତ୍ପାଦନ ବଢ଼ାଇବା ସକାଶେ ଫାର୍ମମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ଟ୍ରମ୍ପ୍ କହିବା ସହ ସମଗ୍ର ବିଶ୍ବର ଯେ କୌଣସି ଦେଶ ଏ ସଂକ୍ରାନ୍ତରେ ଆମେରିକାଠାରୁ ସହାୟତା ପାଇପାରିବ ବୋଲି ଟ୍ରମ୍ପ୍ କହିଛନ୍ତି।
ଟ୍ରମ୍ପ୍ କହିଛନ୍ତି, ଯେତେବେଳେ ମୁଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିଲି, ସେତେବେଳେ ବ୍ରିଟେନ୍ ବହୁଳ ମାତ୍ରାରେ ଭେଣ୍ଟିଲେଟରର ଆବଶ୍ୟକତା ରହିଛି ବୋଲି ଦର୍ଶାଇଥିଲେ। ବୋରିସ୍ ନିଜେ କୋରୋନା ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ନିଶ୍ଚିତ ଭାବେ ଏକ ଦୁଃଖଦ ଘଟଣା। କିନ୍ତୁ ସେ ଏଥିରୁ ସୁସ୍ଥ ହୋଇଯିବେ ବୋଲି ମୋର ଯଥେଷ୍ଟ ଆଶା ରହିଛି। କିନ୍ତୁ ସେମାନଙ୍କର ଭେଣ୍ଟିଲେଟରର ଆବଶ୍ୟକତା ରହିଛି। ତା’ଛଡ଼ା ଭୂତାଣୁ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଇଟାଲୀ, ସ୍ପେନ୍, ଇରାନ୍ ଓ ଜର୍ମାନୀ ଆଦି ଦେଶରେ ମଧ୍ୟ ଭେଣ୍ଟିଲେଟରର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଜଣାପଡ଼ିଛି। ସେମାନେ ମୋତେ ଏ ନେଇ ଅବଗତ କରାଇଛନ୍ତି। ଆମେରିକାରେ ଯଥେଷ୍ଟ ମାତ୍ରାରେ ଭେଣ୍ଟିଲେଟର୍ ପ୍ରସ୍ତୁତ କରି ସେମାନଙ୍କ ଆବଶ୍ୟକତା ପୂରଣ କରାଯିବ। ଏହାଛଡ଼ା ଅନ୍ୟାନ୍ୟ ଦେଶକୁ ମଧ୍ୟ ସେମାନଙ୍କର ଆବଶ୍ୟକତା ଅନୁସାରେ ଭେଣ୍ଟିଲେଟର୍ ଯୋଗାଇ ଦିଆଯିବ ବୋଲି ଟ୍ରମ୍ପ୍ କହିଛନ୍ତି। ଏଥିସହ ଆଗାମୀ ଶହେ ଦିନରେ ଆମେରିକା ୧ ଲକ୍ଷ ଭେଣ୍ଟିଲେଟର୍ ପ୍ରସ୍ତୁତ କରିପାରିବ ବୋଲି ମଧ୍ୟ ଟ୍ରମ୍ପ୍ କହିଛନ୍ତି।


