ଭୈମୀ ବଡ଼ ଏକାଦଶୀରେ ପାବନ ଶ୍ରୀକ୍ଷେତ୍ର ଲୋକାରଣ୍ୟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଶ୍ରୀକ୍ଷେତ୍ର ମାର୍ଗ ସ୍ଥିତ ପାବନ ଶ୍ରୀକ୍ଷେତ୍ରରେ ମାଘ ମାସର ଭୈମୀ ଏକାଦଶୀ ଉପଲକ୍ଷେ ଶନିବାର ଭୋରରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କ ଭିଡ଼ ଲାଗି ରହିଥିଲା । ଭୋର ସାଢେ ୪ଟାରେ ଶୀଜୀଉ ମାନଙ୍କ ମଙ୍ଗଳ ଆଳତି ଓ ପରେ ଅବକାଶ, ବଲ୍ଲଭପୂଜା, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା ଆଦି ଯଥା ସମୟରେ ସମ୍ପନ୍ନ କରାଯାଇଥିଲା । ଅବକାଶ ମଇଲମ ପରେ ଶ୍ରୀଜୀଉ ମାନଙ୍କୁ ଆକର୍ଶଣୀୟ ବଡ଼ ଏକାଦଶୀ ବେଶରେ ସୁସଜ୍ଜିତ କରାଯାଇଥିଲା । ଶ୍ରୀଜୀଉ ମାନଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ, ପୂଜାର୍ଚ୍ଚନା. ଭୋଗରାଗ, ଦୀପ ପ୍ରଜ୍ଜଳନ ସକାଶେ ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ଭକ୍ତ ମାନଙ୍କ ସୂଅ ଛୁଟିଥିଲା । କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସନ୍ଧ୍ୟାରେ ଶ୍ରୀଜୀଉ ମାନଙ୍କ ସାନ୍ଧ୍ୟା ୧୦୮ଆଳତି ଦର୍ଶନ ପାଇଁ ବହୁ ମହିଳା ଓ ପୁରୁଷ ଭକ୍ତ ମାନେ ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଳତି ଦର୍ଶନ ପରେ ବେଢା ସ୍ଥିତ ପାର୍ଶ୍ବ ଦେବ ଦେବୀଙ୍କ ଆଳତି ଦର୍ଶନ ଯଥା ସମୟରେ ଶେଷ ହୋଇଥଇଲା । ପରେ ବାଦ୍ୟ ବାଜଣା, ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀମଦନ ମୋହନ ୩ଥର ବେଢା ପରିକ୍ରମା କରିଥିଲେ । ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର ମହାଦୀପ ଧରି ପ୍ରଭୂଙ୍କ ବେଢା ପରିକ୍ରମାରେ ସାମିଲ ହୋଇଥିଲେ । ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସେବାୟତ ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା, ସହଯୋଗ କରିଥିଲେ ।