ଭୋଗୀ ଓ ପୋଙ୍ଗାଲ୍ ପାଇଁ ପାରଳା ସହର ଉତ୍ସବ ମୁଖର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହର ଆନ୍ଧ୍ର ସୀମନ୍ତରେ ରହିଛି । ଏଠାରେ ମୁଖ୍ୟତ ତେଲୁଗୁ ଓ ଓଡିଆ ଦ୍ୱିଭାଷୀ ଲୋକ ଏକତ୍ରୀତ ଭାବେ ବସବାସ କରନ୍ତି । ଉଭୟ ସମ୍ପ୍ରଦାୟର ଲୋକେ ଉଭୟଙ୍କ ପର୍ବପର୍ବାଣୀରେ ପରସ୍ପରକୁ ସାମିଲ କରିଥାନ୍ତି । ତେଣୁ ପାରଳାଖେମୁଣ୍ଡି ସହର ସମେତ ଗୋଷାଣୀ ଓ କାଶୀନଗର ବ୍ଲକ ଅଞ୍ଚଳ ଓ ଏହାର ଆଖପାଖ ଗ୍ରାମ ଗୁଡିକରେ ସମସ୍ତ ପର୍ବପର୍ବାଣୀ ଅତ୍ୟନ୍ତ ଜାକଜମକରେ ଉତ୍ସବ ମୁଖରିତ ହୋଇଉଠେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୋଗୀ ଓ ପୋଙ୍ଗାଲ୍ ପର୍ବ ଯୋଗୁଁ ପାରଳାଖେମୁଣ୍ଡି ସହର ସମେତ ଗୋଷାଣୀ ଓ କାଶୀନଗର ବ୍ଲକ ଅଞ୍ଚଳ ଓ ଏହାର ଆଖପାଖ ଗ୍ରାମ ଗୁଡିକ ଉତ୍ସବ ମୁଖରିତ ହୋଇଉଠିଛି । ଭୋଗୀ ହେଉଛି ପୋଙ୍ଗାଲ୍‌ର ପ୍ରଥମ ପର୍ବ । ପାରଳା ସହରର ବିଭିନ୍ନ ସ୍ଥାନରେ ଗତକାଲି ରାତ୍ରରେ ପୁରୁଣା କାଠ ଗୁଡିକୁ ଏକତ୍ରୀତ କରି ନିଆଁ ଲଗାଇ ଭୋଗୀ ପାଳନ କରାଯାଇଛି । ଏହି ଭୋଗୀ ନିଆଁକୁ ତେଲୁଗୁ ସମ୍ପ୍ରଦାୟର ଲୋକେ ନମସ୍କାର କରି ଗତକାଲି ଶେଷ ହୋଇଥିବା ଦକ୍ଷିଣାୟନର ସମସ୍ତ ଦୁଖ କଷ୍ଟ ଦୂର ପାଇଁ କାମନା କରି ଆଜି ଠାରୁ ଆରମ୍ଭ ହୋଇଥିବା ଉତ୍ତରାୟନ ସମସ୍ତଙ୍କ ପାଇଁ ସୁଖସମୃଦ୍ଧି ଓ ଶାନ୍ତି ଆଣିଦେଉ ବୋଲି ଆଶୀର୍ବାଦ ଭିକ୍ଷା କରିଥିଲେ । ଭୋଗୀ ଓ ପୋଙ୍ଗାଲ୍ ପର୍ବ ପାଳନ ପାଇଁ ଛୋଟରୁ ବୃଦ୍ଧ ପର୍ଯନ୍ତ ସମସ୍ତେ ନୂତନ ବସ୍ତ୍ର ପିନ୍ଧିଥାନ୍ତି । ଏଥି ସହ ଏହି ପର୍ବ ଏକ ସପ୍ତାହ ପାଇଁ ଅତ୍ୟନ୍ତ ଆନନ୍ଦର ସହ ବନ୍ଧୁ ବନ୍ଧବଙ୍କ ମିଳନରେ ପାଳନ କରାଯାଏ ।ନୂତନ କରି ବିବାହ କରିଥିବା ଦମ୍ପତ୍ତିମାନଙ୍କୁ ବାପଘର ତରଫରୁ ସୁନା,ରୂପା,ନୂତନ ବସ୍ତ୍ର ସହ ବିଭିନ୍ନ ମିଷ୍ଠାନ୍ନ ଆଦି ଦିଆଯାଇଥାଏ । ଏସବୁ ଜିନିଷ ପତ୍ର କିଣିବା ପାଇଁ ପାରଳାଖେମୁଣ୍ଡି ସହରର ଦୋକାନ ବଜାରରେ ଲୋକଙ୍କ ବେଶ ଭିଡ ଜମିବା ସହ ବହୁତ ଭଲ ବ୍ୟବସାୟ ହୋଇଥାଏ । ମୋଟାମୋଟି ଭାବେ ଭୋଗୀ ଓ ପୋଙ୍ଗାଲ୍ ପର୍ବ ତେଲୁଗୁ ସମ୍ପ୍ରଦାୟର ସବୁ ଠାରୁ ମୁଖ୍ୟ ଓ ବଡ ପର୍ବ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ