ଭୋଟରଙ୍କୁ ଆକୃଷ୍ଟ ପାଇଁ ପ୍ରାର୍ଥୀଙ୍କ ଆପ୍ରାଣ ଉଦ୍ୟମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଚଳିତ ମାସ ୧୬ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ହିଞ୍ଜିଳିକାଟୁ ବ୍ଳକର ୨୧ଟି ପଞ୍ଚାୟତରେ ୩ଟି ଜିଲ୍ଲା ପରିଷଦ ଆସନ ସମେତ ସରପଞ୍ଚ, ସମିତି ମେମ୍ବର ଓ ୩୦୭ ୱାର୍ଡ଼ ସଭ୍ୟ ସକାଶେ ନିର୍ବାଚନ ଅନୁଷ୍ଠିତ ହେବ । ହିଞ୍ଜିଳିକାଟୁ ବ୍ଳକର ୨୧ଟି ପଞ୍ଚାୟତ ମଧ୍ୟରୁ ୪ଟି ପଞ୍ଚାୟତରେ ସରପଞ୍ଚ ଓ ୮ଟି ପଞ୍ଚାୟତର ସମିତି ମେମ୍ବର ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସଂପୃକ୍ତ ପଞ୍ଚାୟତରେ ଅପ୍ରତିଦ୍ୱନ୍ଦି ସୁନିଶ୍ଚିତ । ଅବଶିଷ୍ଟ ୧୭ ପଞ୍ଚାୟତରେ ସରପଞ୍ଚ ପଦବୀ ଲାଗି ୬୬ ପ୍ରାର୍ଥୀ ଓ ୧୩ ପଞ୍ଚାୟତରେ ସମିତି ମେମ୍ବର ସକାଶେ ୫୦ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ସୁତ୍ରରୁ ସୂଚନା ମିଳିଛି । ସେହିପରି ୩ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ସକାଶେ ୧୨ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେହି ଅନୁପାତରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ନିର୍ବାଚନ କମିଶନ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ଡ଼ିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦେଇଥିବା ବେଳେ ବର୍ତ୍ତମାନ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ପ୍ରାର୍ଥୀ ମାନେ ଡ଼ିଜିଟାଲ ପ୍ରଚାର ସାଙ୍ଗକୁ ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି । ନିର୍ବାଚନକୁ ନେଇ ଗାଁ ଗାଁରେ ପୋଷ୍ଟର, ବ୍ୟାନରରେ ସଜେଇ ହେବା ସହ ପ୍ରାର୍ଥୀଙ୍କ ସହ ସମର୍ଥକ ମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏଥି ସହ ପ୍ରାର୍ଥୀ ମାନେ ନିର୍ବାଚନ ଗୀତ ମାଧ୍ୟମରେ ପ୍ରଚାରକୁ ଜୋରଦାର କରୁଥିବା ଦେଖିବାକୁ ମିଳିଛି I