ଭୋଟରଙ୍କ ସମର୍ଥନ ଜୁଟାଇବାକୁ ଚାଲିଛି ପ୍ରତିଯୋଗିତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି । ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣା କୋହଳ ପରେ ପ୍ରାର୍ଥୀମାନେ ବି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କିନ୍ତୁ ଚଳିତ ଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନେ ନିଜ ନିଜର ଢଙ୍ଗରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏଥି ପାଇଁ ସେମାନେ କୌଣସି ଷ୍ଟାର ପ୍ରଚାରକଙ୍କ ସମର୍ଥନ କି ସାହାର୍ଯ୍ୟ ନେଉନାହାନ୍ତି । ସେମାନେ ନିଜେ ନିଜର ଷ୍ଟାର ପ୍ରଚାରକ ସାଜିଥିବା ଦେଖିବାକୁ ମିଳିଛି । ବିଭିନ୍ନ ପଞ୍ଚାୟତରେ ଭୋଟରଙ୍କ ସମର୍ଥନ ଜୁଟାଇବାକୁ ପ୍ରତିଯୋଗିତା ଚାଲିଛି । କିିଛି ଶିକ୍ଷିତ ପ୍ରାର୍ଥୀ ମାନେ ସାମାଜିକ ଗଣମାଧ୍ୟମ ସହାୟତାରେ ପ୍ରଚାରର ମାଧ୍ୟମ କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ବ୍ଳକର ୨୧ଟି ପଞ୍ଚାୟତ ମଧ୍ୟରୁ ୪ଟି ପଞ୍ଚାୟତରେ ସରପଞ୍ଚ ପଦବୀ ସକାଶେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ୱନ୍ଦୀ ରହିଛନ୍ତି । ସେହିପରି ସମିତିସଭ୍ୟ ପଦବୀ ସକାଶେ ୮ଟି ପଞ୍ଚାୟତରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ୱନ୍ଦୀ ରହିଛନ୍ତି । ଅବଶିଷ୍ଠ ୧୭ ପଞ୍ଚାୟତରେ ୬୬ ଜଣ ସରପଞ୍ଚ ଓ ୪୯ ଜଣ ସମିତିସଭ୍ୟ/ ସଭ୍ୟା ସକାଶେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତିି । ସେହିପରି ୩ଟି ଜିଲ୍ଲା ପରିଷଦ ଆସନ ସକାଶେ ୧୨ଜଣ(ବିଜେଡ଼ିରୁ ୩, ବିଜେପିରୁ ୩, କଂଗ୍ରେସରୁ ୩ ଏବଂ ଆମ୍ ଆଦମୀ ପାର୍ଟିର ୨ ଓ ବହୁ ଜନସମାଜବାଦୀ ପାର୍ଟି ପକ୍ଷରୁ ଜଣେ ) ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା ପ୍ରାର୍ଥୀ ମାନଙ୍କ ସକାଶେ ଦଳୀୟ ତୁଙ୍ଗ ନେତା ମାନେ ପ୍ରଚାରର ମଙ୍ଗ ଧରିଛନ୍ତି । କିନ୍ତୁ ଅଧିକାଂଶ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ମାନଙ୍କ ସକାଶେ ପ୍ରଚାରରେ କୌଣସି ଷ୍ଟାର ପ୍ରଚାରକ କିମ୍ବା ନେତା ସାମିଲ ହେଉନଥିବା ଦେଖିବାକୁ ମିଳିଛି । ସରପଞ୍ଚ ଓ ସମିତିସଭ୍ୟ ପଦବୀ ସକାଶେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜର ଅଭିନବ ଉପାୟରେ ପ୍ରଚାର ଅଭିଯାନକୁ ଜୋରଦାର କରୁଥିବାର ଦେଖିବାକୁ ମିଳିଛି । ନିଜ ନିଜା ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତାକୁ ମାଧ୍ୟମ କରି ସେମାନେ ଭୋଟରଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି । କିଏ କହୁଛନ୍ତି ଜନସାଧାରଣ ଆମକୁ ସମର୍ଥନ କରୁଛନ୍ତି ତ ଆଉ କିଏ କହୁଛି ଦଳର ପୁରୁଖା ନେତା ଆମ ସହିତ ଅଛନ୍ତି । ଏପରିକି ପ୍ରଚାର ବେଳେ ପ୍ରାର୍ଥୀ କେତେକ ନିର୍ଦ୍ଧିଷ୍ଠ ଦଳର ନାମ ନେଉଥିବା ଜଣାପଡ଼ିଛି । ସେହିପରି ଯେଉଁ ପଞ୍ଚାୟତରେ ତୁଙ୍ଗ ନେତା ମାନେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି, ସେଠାରେ ପ୍ରାର୍ଥୀ ନିଜକୁ ଉକ୍ତ ନେତାଙ୍କର ବିଶ୍ୱସ୍ତ ବୋଲି କହି ବୁଲୁଛନ୍ତି । ଯଦି ଓ ସରପଞ୍ଚ ଓ ସମିତିସଭ୍ୟ ପଦବିରେ ନିର୍ବାଚନ ଦଳୀୟ ଟିକଟ ଆଧାରରେ ପ୍ରତିଦ୍ୱନ୍ଦିତା କରାଯାଏନି, ତଥାପି ବିଭିନ୍ନ ଦଳର ସମର୍ଥୀତ ପ୍ରାର୍ଥୀ ହିଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । କିଛି ପଞ୍ଚାୟତରେ ଗୋଟିଏ ଦଳରୁ ହିଁ ଏକାଧିକ ପ୍ରାର୍ଥୀ ଗୋଟିଏ ପଦବିରେ ପ୍ରତିଦ୍ୱନ୍ଦିତା କରୁଥିବାର ଦେଖିବାକୁ ମିଳିଛି । ଏହାକୁ ଫାଇଦାରେ ରଖି ଯେ ଜିତେଗା ୱୋ ସିକନ୍ଦର ନ୍ୟାୟରେ ନେତା କହି ବୁଲୁଥିବା ଜଣାପଡ଼ିଛି ।


