ଭୋଟର ତାଲିକାରେ ନାମ ନ ଥିବାରୁ ୪୦ଜଣ ମତଦାନରୁ ବଞ୍ଚିତ
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍): ଡେଲାଙ୍ଗ ବ୍ଳକର କୁଆପଦା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ କେନ୍ଦ୍ରନଂ ୪୫ରେ ପ୍ରାୟ ୪୦ ଜଣଙ୍କ ନାମ ଭୋଟର ତାଲିକାରେ ନାମ ନଥିବାରୁ ସେମାନେ ମତଦାନରୁ ବଞ୍ଚିତ ହୋଇଥିବା ଜଣାପଡିଛି । ଏହାକୁ ନେଇ ଉକ୍ତ ବୁଥ କେନ୍ଦ୍ର ପାଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନଙ୍କ ନାମ ପଞ୍ଚାୟତ ଭୋଟ ସମୟରେ ରହିଥିଲା । ମାତ୍ର ବିଧାନସଭା ନିର୍ବାଚନ ସମୟରେ ତାଙ୍କ ନାମ ନଥିବା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏ ସମ୍ପର୍କରେ ବ୍ଳକର ବୁଥ ଲେବୁଲ ଅଫିସର (ବିଏଲଓ) କହିଥିଲେ ନିର୍ବାଚନ ଅଧିକାରୀ ୨୦୧୯ ଜାନୁଆରୀ ୧ରେ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ମାଧ୍ୟମରେ ନାମ ସଂଶୋଧନ, ଯୋଗ କରିବା ଓ ନାମ କାଟିବା ଆଦି କାର୍ଯ୍ୟ କରିବା ପାଇଁ ସମୟ ଦେଇଥିଲେ । ମାତ୍ର ସେ ସମୟରେ ଏମାନେ କିଛି କଲେ ନାହିଁ । ବିଏଲଓ ବିଭିନ୍ନ ଗ୍ରାମକୁ ଯାଇ ଏ ସମ୍ପର୍କେ କହିଥିବା ବେଳେ ମତଦାନରୁ ବଞ୍ଚିତ ହୋଇଥିବା ସୂର୍ଯ୍ୟଲକ୍ଷ୍ମୀ ଜେନା, ପ୍ରକାଶ ଚନ୍ଦ୍ର ମାର୍ଥା, ପ୍ରଶାନ୍ତ ମାର୍ଥା, ମନ ରଂଜନ ହରିଚନ୍ଦନ, ଅକ୍ଷୟ ମାର୍ଥା, ତାପସ ଜେନା, ବିଜୟ ବଳିୟାରସିଂ, ଅଭିମନ୍ୟୁ ବଳିୟାରସିଂହ, ମଧୁପିୟା ବଳିୟାରସିଂ,ଶୈଳବାଳା ପାଲଟାସିଂହ, ଧନଲକ୍ଷ୍ମୀ ପାଲଟାସିଂହ, ସରୋଜିନି ପାଲଟାସିଂହ ପ୍ରମୁଖ ଏ ସମ୍ପର୍କେ ତାଙ୍କୁ ଅବଗତ କରାଯାଇ ନାହିଁ ବୋଲି କହିଥିଲେ ।


