ଭୋଟିଂ ମେସିନ ବ୍ୟବହାରିକତା ଶିକ୍ଷା ନିମନ୍ତେ ଅସ୍ଥାୟୀ କେନ୍ଦ୍ର ଏବଂ ଭ୍ରାମ୍ୟମାଣ ଯାନ ମାଧ୍ୟମରେ ପ୍ରଦର୍ଶନ

ବାଲେଶ୍ୱର, (ସରୋଜ ପଣ୍ଡା) : ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ତଥା ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି I ଉକ୍ତ ନିର୍ବାଚନରେ ଭୋଟ ଦାନ ମେସିନ ମାଧ୍ୟମରେ ହେବାକୁ ଥିବାରୁ ପ୍ରତ୍ୟେକ ଭୋଟର ସଠିକ୍ ଭାବରେ ଭୋଟିଂ ମେସିନର ବ୍ୟବହାର କରି ତାର ମୂଲ୍ୟବାନ ଭୋଟ ଦାନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି I ଭୋଟିଂ ମେସିନର ସଠିକ ବ୍ୟବହାରିକତା ବାବଦରେ ଭୋଟରମାନଙ୍କୁ ଅବଗତ କରାଇବା ନିମନ୍ତେ ଆସନ୍ତା କାଲି, ତା ୧୧/୦୧/୨୦୨୪ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର, ବାଲେଶ୍ୱର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟିଂ ମେସିନ ବ୍ୟବହାର ପ୍ରଦର୍ଶନ ନିମନ୍ତେ ଏକ ଅସ୍ଥାୟୀ କେନ୍ଦ୍ର ଯଥା ଇ.ଭି.ଏମ୍ ଡେମନଷ୍ଟ୍ରେସନ ସେଣ୍ଟର (ଇ.ଡି.ସି) ସ୍ଥାପନ କରାଯାଇ ଭୋଟରମାନଙ୍କୁ ଏହା ଉପରେ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି I ଏହି କେନ୍ଦ୍ରମାନଙ୍କରେ ସରକାରୀ ଅଧିକାରୀ ମେସିନ ସହ ଉପସ୍ଥିତ ରହି ଭୋଟର ମାନଙ୍କୁ ଏହି ମେସିନ ବ୍ୟବହାର ବାବଦରେ ଶିଖାଇବେ I ଅଧିକନ୍ତୁ ପ୍ରତ୍ୟେକ ପୌରପାଳିକା ଓ ବ୍ଲକ ସ୍ତରରେ ଏହି ଭୋଟିଂ ମେସିନ ବ୍ୟବହାର ପ୍ରଶିକ୍ଷଣ ନିମନ୍ତେ ଭ୍ରାମ୍ୟମାଣ ଯାନ ମାନ (ପ୍ରତି ପୌରପାଳିକା ଓ ବ୍ଲକରେ ଗୋଟିଏ ଲେଖାଏଁ, ଏହି ପରି ୧୫ଟି ମୋବାଇଲ ଡେମନଷ୍ଟ୍ରେସନ ଭେହିକଲ (ଏମ.ଡି.ଭି)) ଆସନ୍ତା ତା ୧୬/୧/୨୪ ରିଖ ଠାରୁ ପ୍ରତ୍ୟେକ ବୁଥ ସ୍ତର ପର୍ଯ୍ୟନ୍ତ ଯାଇ ଭୋଟରମାନଙ୍କୁ ମଧ୍ୟ ମେସିନ ବ୍ୟବହାର ଶିଖାଇବାର ଆୟୋଜନ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଛନ୍ତି I ପ୍ରକାଶ ଥାଉ କି, ପ୍ରତ୍ୟେକ ମୋବାଇଲ ଡେମନଷ୍ଟ୍ରେସନ ଭେହିକଲ ଗୋଟିଏ ଗୋଟିଏ ବୁଥ ଅବସ୍ଥିତିରେ ୯୦ ମିନିଟ ସମୟ ରହି ଭୋଟର ମାନଙ୍କୁ ମେସିନ ଭୋଟିଂ ଅଭ୍ୟାସ କରାଇବ ଏବଂ ପ୍ରତ୍ୟହ ଗୋଟିଏ ଯାନ ୩ଟି ବୁଥ ଅବସ୍ଥିତିକୁ ଗସ୍ତ କରିବ I ଉଲ୍ଲେଖ ଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ଆସନ୍ତା ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ