ଭୋଟ୍ ପାଇଁ ମତଦାତାଙ୍କୁ ଉତ୍ସାହିତ କର
ନୂଆଦିଲ୍ଲୀ(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ବିରୋଧୀ ନେତାଙ୍କୁ ସର୍ପ୍ରାଇଜ୍ କରି ଦେଇଛନ୍ତି । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋଦୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ସମେତ ଦେଶର ପ୍ରମୁଖ ନେତାଙ୍କୁ ଟ୍ୱିଟରରେ ଟ୍ୟାଗ୍ କରି ଭୋଟରଙ୍କୁ ମତଦାନ ଲାଗି ପ୍ରେରିତ କରିବାକୁ ଆହ୍ୱାନ କରିଛନ୍ତି । ସେ ଫିଲ୍ମ, କଳା, କ୍ରୀଡା, ଉଦ୍ୟୋଗ ଏବଂ ଗଣମାଧ୍ୟମଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ମୋଦୀ ଟ୍ୱିଟ୍ରେ ଲୋକଙ୍କୁ ଭୋଟିଂ ପାଇଁ ପ୍ରୋତ୍ସାହିତ କରିବାକୁ ଦେଶର ତମାମ୍ ନେତାଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ ସେ ଏକ ବ୍ଲଗ୍ ମଧ୍ୟ ଲେଖିଛନ୍ତି । ମୋଦୀ ଟ୍ୱିଟ କରିଛନ୍ତି ଯେ, ମତଦାନକୁ ଉତ୍ସାହିତ କରିବାକୁ ଭୋଟର୍ଙ୍କୁୂ ଅଧିକରୁ ଅଧିକ ସଚେତନ କରାଯାଉ । ବହୁ ସଂଖ୍ୟାରେ ଲୋକ ଏଥିରେ ଯୋଗଦାନ ଦେଲେ ଗଣତନ୍ତ୍ର ସୁଦୃଢ ହେବ । ସେ ଆଉ ଏକ ଟ୍ୱିଟ୍ରେ ଚନ୍ଦ୍ରବାବୁ ନାଇଡୁ, ଏଚ୍ଡି କୁମାରସ୍ୱାମୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜଗମୋହନ ରେଡିଙ୍କୁ ଟ୍ୟାଗ୍ କରିଛନ୍ତି । ସେହିପରି ଆଉ ଏକ ଟ୍ୱିଟରେ ନୀତୀଶ କୁମାର, ପବନ •ମଲିଙ୍ଗ ଏବଂ ରାମ ବିଳାସ ପାସୱନଙ୍କୁ ଟ୍ୟାଗ୍ କରିଛନ୍ତି । କେବଳ ସେତିକି ନୁହେଁ ମୋଦୀ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ, ରାଜ୍ୟପାଳ କିରଣ ବେଦୀ, ସାଉଥ୍ର କଳାକାର ମୋହନଲାଲ, ସୁଦର୍ଶନ ପଟ୍ଟନାୟକ, କ୍ରୀଡା ଜଗତର କିଦାମ୍ବୀ ଶ୍ରୀକାନ୍ତ, ଅଲିମ୍ପିକ ମଡେଲ ଯୋଗେଶ୍ୱର ଦତ୍ତ, ସୁଶୀଲ କୁମାର, ପିଭି ସିନ୍ଧୁଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମତଦାନ ପାଇଁ ଉତ୍ସାହିତ କରିବାକୁ କହିଛନ୍ତି । ସେ ଆଧ୍ୟାତ୍ମିକ ଗୁରୁଙ୍କୁ ମଧ୍ୟ ନିଜ ଭୂମିକା ନିଭେଇବା ପାଇଁ କହିଛନ୍ତି । ସଦଗୁରୁ, ରବିଶଙ୍କର, ରାମଦେବଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି କି, ଆପଣଙ୍କ ଭଳି ଆଧ୍ୟାତ୍ମିକ ଲୋକଙ୍କ ଦ୍ୱାରା ଲୋକମାନେ ପ୍ରେରିତ ହେବେ । ଏହା ସହ ଉଦ୍ୟୋଗ ଜଗତର ଆନନ୍ଦ ମହିନ୍ଦ୍ରା, ରତନ ଟାଟା ଏବଂ ଆଶିଷ ଚୌହ୍୍ୱାନଙ୍କୁ ମଧ୍ୟ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ବଲିଉଡ କଳାକାର ରଣବୀର କପୁର, ବରୁଣ ଧାୱନ, ବିକି କୌଶଲ, ଅନୁଷ୍କା ଶର୍ମା, ଦୀପିକା ପାଦୂକୋନ, ଆଲିଆ ଭଟ୍ଟଙ୍କୁ ମଧ୍ୟ ନିବେଦନ କରିଛନ୍ତି ।


