ଭୋଟ ଗଣନା ପାଇଁ ପ୍ରସ୍ତୁତି ଶେଷ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପଞ୍ଚାୟତ ମୁଖିଆ ପାଇଁ ରାଜ୍ୟରେ ନିର୍ବାଚନ ସରିଥିବା ବେଳେ ୨୬ତାରିଖ ଶନିବାର ଠାରୁ ଭୋଟ ଗଣତି ଆରମ୍ଭ ହେଉଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ କଲେଜ ଠାରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ଦିନରେ ବ୍ଲକର ୨୨ନଂ ଜୋନ ଅଧିନ ସାନଶାସନ ରାଜେନ୍ଦ୍ରପୁର, ନାଆମୀ, ତେସିଙ୍ଗା, ଝୁଟୁଣା, ବନ୍ଦାଳୋ-ମଢ଼ିଆଳି, ନେରଡ଼ା ଓ ରାମଚନ୍ଦ୍ରପୁର ପଞ୍ଚାୟତ ପାଇଁ ଭୋଟ ଗଣତି ହେଉଥିବା ଜଣାଯାଇଛି । ଏଥିପାଇଁ କଲେଜ ପରିସରରେ ବ୍ୟାରିକେଡ ନିର୍ମାଣ ହୋଇଥିବା ବେଳେ ଏଜେଣ୍ଟ ମାନଙ୍କ ପାଇଁ ସ୍ୱତନ୍ତ୍ର ତାର ଜାଲି କୋଠରୀ ବ୍ୟବସ୍ଥା କରାଯାଇଛି । ଆଠ ଗୋଟି ଟେବୁଲରେ ଭୋଟ ଗଣତି ବ୍ୟବସ୍ଥା ହୋଇଥିବା ବେଳେ ଏଥିରେ ୪୦ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗଣତିକେନ୍ଦ୍ର ମଧ୍ୟକୁ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଛି। ଭୋଟ କେନ୍ଦ୍ର ଚାରି ପାଖରୁ କଡା ପୁଲିସ ପ୍ରହରା ରହିଥିବା ବେଳେ ମୁଖ୍ୟ ଫାଟକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ୨୬,୨୭ ଓ ୨୮ତାରିଖ ମଧ୍ୟରେ ତିନି ଗୋଟି ଜୋନର ଭୋଟ ଗଣତି ହେଉଥିବା ବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ୭୮୭ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେଥିମଧ୍ୟରୁ ଜିଲ୍ଲା ପରିଷଦ ପାଇଁ ୧୫ଜଣ, ସରପଞ୍ଚ ପାଇଁ ୭୨, ସମିତିସଭ୍ୟ ପାଇଁ ୭୩ ଓ ୱାର୍ଡ ସଭ୍ୟ ପାଇଁ ୬୨୭ଜଣ ପ୍ରାର୍ଥୀ ରହିଛନ୍ତି ।