ଭୋଟ ଦେବାରୁ ବଞ୍ଚିତ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ
ହାଟଡିହି, (ବିକାଶ ବିଶ୍ୱାଳ) :-ଭୋଟର ଲିଷ୍ଟରୁ ନାଁସବୁ ବାଦ ଯିବା ଘଟଣାରେ ଗ୍ରାମବାସୀମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଯଦି ପ୍ରଶାସନ ସେମାନଙ୍କ ଦାବିପ୍ରତି କର୍ଣ୍ଣପାତ ନକରେ ତେବେ ଗ୍ରାମବାସୀମାନେ ଭୋଟଗ୍ରହଣ କେନ୍ଦ୍ରରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ କଳିଗାଁ ପଞ୍ଚାୟତର କନକମ୍ପା ଓ ରଘୁନାଥପୁର ଗାଁକୁ ନେଇ ୧୦ନମ୍ବର ୱାର୍ଡ ଗଠିତ । ଏହାର ଭୋଟ ଗ୍ରହଣକେନ୍ଦ୍ର ରଘୁନାଥପୁର କନକମ୍ପା ସ୍କୁଲରେ ହିଁ ହୋଇଥାଏ । ଏଥିରେ ରଘୁନାଥପୁର ଗ୍ରାମର ୧୭୧ ଓ କନକମ୍ପା ଗ୍ରାମର ୧୪୫ ଭୋଟର ଅଛନ୍ତି । ସେମାନେ ପୁର୍ବରୁ ସମସ୍ତ ନିର୍ବାଚନରେ ଭୋଟ ଦେଇ ଆସିଛନ୍ତି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ସମସ୍ତ ଭୋଟରଲିଷ୍ଟ ଠିକ୍ ଥିବାବେଳେ ଲୋକମାନେ ଭୋଟ ଦେଇଥିଲେ । ଏପରିକି ଗତ ସାଧାରଣ ନିର୍ବାଚନରେ ମଧ୍ୟ ଏମାନେ ଭୋଟ ଦେଇଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ରଘୁନାଥପୁର ଗ୍ରାମର ୧୭୧ଜଣ ଭୋଟରଙ୍କ ନାମ ଥିବାବେଳେ କନକମ୍ପା ଗ୍ରାମର ଭୋଟର ମାନଙ୍କ ନାଁ ତାଲିକାରେ ନାହିଁ । ୧୪୫ଜଣ ଭୋଟରଙ୍କ ମଧ୍ୟରୁ ମାତ୍ର ଦୁଇଜଣଙ୍କ ନାମ ରହିଛି । ଯାହାକୁନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏବେ ଅନ୍ୟସବୁ ଗାଁରେ ନିର୍ବାଚନର ତାତି ଦେଖିବାକୁ ମିଳୁଥିବାବେଳେ ଏହି ଗାଁଟି ଖାଁ ଖାଁ ଲାଗୁଛି । ଏଠାକୁ କେହି ଆଉ ପ୍ରଚାର କରିବାକୁ ମଧ୍ୟ ଯାଉ ନାହାନ୍ତି । ସେମାନେ ଯେପରି ଏହି ସମାଜରୁ ଏକଘରିଆ ହୋଇ ଯାଇଛନ୍ତି ସେପରି ଲାଗୁଛି ବୋଲି ଗ୍ରାମବାସୀମାନେ କହିଛନ୍ତି । ସେମାନଙ୍କ ଭୋଟଦାନ ଭଳି ମୌଳିକ ଅଧିକାରକୁ ଛଡାଇ ନିଆଯାଇଛି ବୋଲି ଗ୍ରାମର ଭାବଗ୍ରାହୀ ପାଢ଼ୀ, ଶଶିକାନ୍ତ ଘଡେଇ, ହରେକୃଷ୍ଣ ପାଢ଼ୀ, ଦୀନବନ୍ଧୁ ସା, ଜଗବନ୍ଧୁ ପାଢ଼ୀ, ବଳରାମ ଘଡେଇ, ସହଦେବ ପାଢ଼ୀ, ରମାକାନ୍ତ ପାଢ଼ୀ, ମଦନ ମୋହନ ଘଡେଇ, ଅନିତା ସା, ବିମଳା ସା, ସତ୍ୟଭାମା ପାଢ଼ୀ, ଜଳଧର ଘଡେଇ, ଦୀପକ ଘଡେଇ, ପ୍ରାଣବଲ୍ଲବ ସା ପ୍ରମୁଖ ଅଭିଯୋଗ କରିଛନ୍ତି । ଆମ ନାଁ ସବୁ ଭୋଟର ତାଲିକାରେ ଥିବାବେଳେ କିପରି ଓ କିଏ କାଟିଲା ତାହାର ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ସେମାନେ ସମସ୍ତ ଅଧିକାରୀଙ୍କୁ ଜଣାଇ ସାରିଥିଲେ ମଧ୍ୟ କେହି କିଛି ପଦକ୍ଷେପ ନେଉ ନଥିବା କହିଛନ୍ତି । ପଦସ୍ଥ ଅଧିକାରୀ ଓ କର୍ମଚାରୀମାନେ ଭୁଲ କରିବେ ସେମାନେ କାହିଁକି ବଳି ପଡିବେ ବୋଲି ପ୍ରଶ୍ନ କରିଛନ୍ତି । ଯଦି ଭୋଟ ଦେବାର ନିର୍ଦ୍ଧାରିତ ଦିନ ମଧ୍ୟରେ କେଣସି ପଦକ୍ଷେପ ନିଆ ନଯାଏ ତେବେ ବାଧ୍ୟହୋଇ ଭୋଟ ଗ୍ରହଣ କେନ୍ଦ୍ରକୁ ବନ୍ଦ କରିବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।