ଭ୍ୟାନରେ ନିଆଁ ଲାଗିଯିବା ଫଳରେ ଜିଅନ୍ତା ଜଳିଗଲେ ୭ ଜଣ
ଉନ୍ନାଓ :- ଉନ୍ନାଓରେ ଭ୍ୟାନ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ଭ୍ୟାନରେ ନିଆଁ ଲାଗି ୭ ଜଣ ଲୋକେ ଜିଅନ୍ତା ଜଳିଯାଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ଉନ୍ନାଓରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ଉନ୍ନାଓ-ହରଦୋଇ ମାର୍ଗରେ ବାଙ୍ଗରମଉ କୋତବାଲୀ କ୍ଷେତ୍ର ଅନ୍ତର୍ଗତ ନସିରାପୁର ଗାଁ ନିକଟରେ ଘଟିଛି । ମୃତକଙ୍କ ମଧ୍ୟରେ ଭ୍ୟାନରେ ଚାଳକ ସମେତ ୨ ଯୁବକ, ୨ ଶିଶୁ, ୨ ମହିଳା ସମେତ ମୋଟ ୭ ଜଣ ଥିଲେ ବୋଲି ଜଣାପଡ଼ିଛି । ସୂଚନା ଥାଉକି, ନସିରାପୁର ଗାଁ ନିକଟରେ ଗତକାଲି ସନ୍ଧ୍ୟାରେ ଟ୍ରକ ଓ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ପରେ ଗ୍ୟାସ ସିଲିଣ୍ଡରରେ ଚାଳିତ ହେଉଥିବା ଉକ୍ତ ଭ୍ୟାନରେ ନିଆଁ ଲାଗିଯିବାରୁ ପ୍ରାୟ ୭ ଜଣ ଲୋକେ ଜିଅନ୍ତା ଜଳିଯାଇଥିଲେ । ଭ୍ୟାନରେ ଖୁବ ଦ୍ରୁତ ଗତିରେ ନିଆଁ ବ୍ୟାପି ଯାଇ ସମ୍ପୂର୍ଣ୍ଣ ଭ୍ୟାନଟି ଜଳିଯାଇଥିଲା । ସେଥିରେ ଥିବା ଯାତ୍ରୀଙ୍କୁ ରକ୍ଷା କରିବାକୁ କୌଣସି ସୁଯୋଗ ମଧ୍ୟ ମିଳିନଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ସ୍ଥାନୀୟଲୋକେ ଭ୍ୟାନ ନିକଟକୁ ଯିବାମାତ୍ରେ ସେମାନଙ୍କ ଶରୀରରେ ମଧ୍ୟ ନିଆଁ ଧାସ ବାଜିଥିଲା। ନିଆଁର ମାତ୍ରା ଖୁବ ଅଧିକ ଥିବାରୁ ଓ ଧକ୍କା ଫଳରେ ଭ୍ୟାନର ଏକ ଅଂଶ ଟ୍ରକ ଭିତରକୁ ଥିବାରୁ ଟ୍ରକର ଏକ ଅଂଶରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଦୁର୍ଘଟଣା ସମୟରେ ମୁହଁମୁହିଁ ଧକ୍କା ହେବା ଫଳରେ ଏକ ଭୟଙ୍କର ଶବ୍ଦ ହେବାରୁ ସ୍ଥାନୀୟଲୋକେ ଘଟଣାସ୍ଥଳକୁ ଶୀଘ୍ର ଯାଇଥିଲେ । ନସିରାପୁର ଗ୍ରାମବାସୀଙ୍କ କହିବା କଥା ସେମାନେ ଭ୍ୟାନ ନିକଟକୁ ଆସିବା ଯାଏଁ ନିଆଁ ସମ୍ପୂର୍ଣ୍ଣ ରୂପେ ବ୍ୟାପି ଯାଇଥିଲା । ଭ୍ୟାନ ଭିତରେ ଥିବା ଲୋକେ ନିଆଁରେ ଛଟପଟ ହେଉଥିଲେ। ମାତ୍ର ସେମାନଙ୍କୁ ରକ୍ଷା କରିବାର କୌଣସି ଉପାୟ ନଥିଲା। ଭ୍ୟାନର ଏକ ଅଂଶ ଟ୍ରକ ଭିତରକୁ ଥିବାରୁ ତତ୍କ୍ଷଣାତ ଲୋକଙ୍କୁ ଉଦ୍ଧାର କରିବା ସମ୍ଭବପର ନଥିଲା ।


