ଭୟଙ୍କର ବିସ୍ପୋରଣ, ୬ ଗୁରୁତର
କୋଦଳା, (ଗୁଲସନ କୁମାର କର) :-ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡି ଗ୍ରାମରେ ଆଜି ସକାଳୁ ଏକ ବିସ୍ପୋରଣରେ ଗୋଟିଏ ପରିବାରର ୬ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବେରୁଆଁବାଡି ଗ୍ରାମର ଶିଅଳ ସାହିରେ ଦଣ୍ଡପାଣି ବେହେରାଙ୍କ ଘରେ ଆଜି ସକାଳ ପ୍ରାୟ ୧୧ ଘଣ୍ଟ ସମୟରେ ହଠାତ ଏକ ବଡ଼ ଧରଣର ବିଷ୍ଫୋରଣ ହୋଇଥିଲା । ବିଷ୍ଫୋରଣରେ ଦଣ୍ଡପାଣି ବେହେରାଙ୍କ ପୁଅ ବଳିଆ ବେହେରା ଗୁରୁତର ଭାବେ ଆହତ ହୋଇଥିବା ବେଳେ ପରିବାରର ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ଗୁରୁତର ଆହତ ହୋଇଥିବା ବଳିଆକୁଂ ତୁରନ୍ତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଅନ୍ୟ ୫ ଜଣ ବିଷ୍ନୁ ବେହେରା, ମିଥୁନ ବେହେରା, ଜଡା ବେହେରା, ଶ୍ରୀହରି ବେହେରା ଓ କୈଳାଶ ବେହେରାଙ୍କୁ କୋଦଳା ହସ୍ପିଟାଲରେ ଚିକିତ୍ସିତ କରାଯିବା ପରେ ସେମାନଙ୍କୁ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବିଷ୍ଫୋରଣରେ ଦଣ୍ଡପାଣିକଂ ଘର ସମେତ ପଡୋଶୀ ୨ ଟି ଘର ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇ ଯାଇଛି । ଖବର ପାଇ ଘଟଣା ସ୍ଥଳରେ କୋଦଳା ଥାନା ଅଧିକାରୀ, ପୁରୁଷୋତ୍ତମପୁର ଏସଡିପିଓ, ଛତ୍ରପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି । ଏଥି ସହିତ କୋଦଳା ଦମକଳବାହିନୀ ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି । ତେବେ ବିଷ୍ଫୋରଣ କେମିତି ଘଟିଲା, ବିଷ୍ଫୋରଣ ପଛରେ ପ୍ରକୃତ କାରଣ କଣ ଥାଇପାରେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଏନେଇ ପୋଲିସ ମଧ୍ୟ କୌଣସି ସୂଚନା ଦେଇ ନାହିଁ । ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।