ଭୟାନକ ବସ୍ ଦୁର୍ଘଟଣା ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶବ ସତ୍କାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ରବିବାର ବିଳମ୍ବିତ ରାତିରେ ଭୟାନକ ବସ୍ ଦୁର୍ଘଟଣା ଘଟି ୧୧ ଜଣକ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଭଳି ବିଦାରକ ଘଟଣା ପ୍ରଚାରିତ ପରେ ଟୁଇଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି । ଖବରପ୍ରକାରେ , ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ଖଣ୍ଡଦେଉଳି ଗ୍ରାମର ସ୍ବର୍ଗତ ଅଶୋକ ପ୍ରଧାନଙ୍କ ଝିଅ ସୋନାଲିଙ୍କ ସହ ବ୍ରହ୍ମପୁର ଅଞ୍ଚଳର ଉମେଶଙ୍କ ସହ ବାହାଘର କନ୍ୟାପକ୍ଷ ତଥା ଖଣ୍ଡଦେଉଳି ଗ୍ରାମରେ ଧୁମଧାମରେ ହୋଇଥିଲା । ଏପରିକି ନାଚ ଗୀତରେ ପରିବାର ବେଶ୍ ହସଖୁସିରେ ଦିନ ଯାଇଥିଲା । ଏହାପରେ ଝିଅ ବର ସହ ବ୍ରହ୍ମପୁର ଯାଇଥିଲେ । ସନ୍ଧ୍ୟାରେ ଝିିଅ ଘରର ପରିବାର ଓ ସମ୍ପର୍କୀୟ ମାନେ ଏକ ମିନିବସ ଯୋଗେ ବ୍ରହ୍ମପୁର ଯାଇ ହସଖୁସିରେ ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିବା ବେଳେ ରାତି ୧୨ ଘଣ୍ଟା ୪୫ ମିନିଟ ସମୟରେ ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଦ୍ରୁତଗାମୀ ସରକାରୀ ବସ୍ କନ୍ୟା ଯାତ୍ରୀ ବସକୁ ସମ୍ମୁଖ ପଟୁ ଧକ୍କା ଦେଇଥିଲା । ଯାହାଫଳରେ କନ୍ୟା ଯାତ୍ରୀ ବସଟି ରାସ୍ତାରେ ଓଲଟି ପଡିଥିଲା । ଖବରପାଇ ଦିଗପହଣ୍ଡି ପୋଲିସ ସମେତ ବ୍ରହ୍ମପୁର ସଦର ଥାନା ପୋଲିସ , ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ନିୟୋଜିତ ରହି ବସ୍ ଭିତରେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ତେବେ ଦିଗପହଣ୍ଡି ମେଡିକାଲରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଖଣ୍ଡଦେଉଳି ଗ୍ରାମର ରମେଶ ପ୍ରଧାନ , ସୀତାରାମ ପ୍ରଧାନ , ତ୍ରିପତୀ ପ୍ରଧାନ ଏବଂ ରୂପାଲୀ ପ୍ରଧାନ , ଭଞ୍ଜନଗର ମୁଜାଗଡ ଗ୍ରାମର ସୁଜ୍ଞାନୀ ପ୍ରଧାନ , ୩ ବର୍ଷର ପୁଅ ଦେବାଶିଷ ଦେବଂଶୁ ପ୍ରଧାନ , ଶିବାନୀ ପ୍ରଧାନ , ୧ ବର୍ଷର ପୁଅ ହାର୍ଦ୍ଦିକ ପ୍ରଧାନ , ସଞ୍ଜୟ ମେଦିନୀ ରାୟ , ଗଡଗୋବିନ୍ଦପୁର ଗ୍ରାମର ସଙ୍ଗୀତା ଡାକୁଆ ଏବଂ ସିଙ୍ଗିପୁର ଗ୍ରାମର ଲିଟୁ ନାୟକ ବୋଲି ସୂଚନା ମିଳିଛି । ଘଟଣାପରେ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା , ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ , ଦିଗପହଣ୍ଡି ତହସିଲଦାର ସିପକ ପାତ୍ର , ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ । ଅପରପକ୍ଷରେ ବ୍ରହ୍ମପୁର ବଡ ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ . ଶ୍ରବଣ ବିବେକ ଏମ୍ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଶୋକାକୁଳ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି । ତେବେ ମଧ୍ୟାହ୍ନରେ ମୃତକଙ୍କୁ ନିଜ ନିଜ ଗ୍ରାମକୁ ପରିବାର ଲୋକେ ନେବା ପରେ କାନ୍ଦ ବୋବାଳିରେ ଗ୍ରାମ ପରିବେଶ ଫାଟି ପଡୁଥିବା ବେଳେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ସମସ୍ତଙ୍କ ଶବ ସତ୍କାର କରାଯାଇଥିଲା । ଅପରପକ୍ଷରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା , ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି . କିର୍ତ୍ତୀ ଭାସନ୍ , ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଆସିକା ସାଂସଦ ପ୍ରମିଳା ବିଷୋୟୀ , ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , କବିସୂର୍ଯ୍ୟ ନଗର ବିଧାୟକ ଲତିକା ପ୍ରଧାନ , ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ , ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା , ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳୀ ସ୍ବାଇଁ , ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଶ୍ରୀନିବାସ ବେହେରା , ଆସିକା ଏସ୍ ଡିପିଓ ଉମାଶଙ୍କର ସିଂ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଏବଂ ସାନଖେମୁଣ୍ଡି ବ୍ଲକ ର ସମସ୍ତ ନିର୍ବାଚିତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଥିଲେ ।


