ମକର ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁ୍ଜ୍) : କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଗଡଚଣ୍ଡୀ ପୀଠରେ ପ୍ରସିଦ୍ଧ ମକର ମେଳା ଆରମ୍ଭ ହୋଇଛି । ତିନିଦିନ ଧରି ଚାଲିବାକୁ ଥିବା ମେଳାରେ ବୁଧବାର ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।ଏଠାରେ କୁଳୁକୁଳୁ ନାଦରେ ବହିଯାଇଥିବା ଝରଣା ଉପରେ ବିରାଜିତ ମା ଗଡଚଣ୍ଡଚଣ୍ଡୀଙ୍କ ନିକଟରେ ତିନିଦିନ ଧରି ଚାଲୁଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ଭାଗନେଇ ନିଜ ନିଜର ମାନସିକ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ବୁଧବାର ଭୋର ସମୟରୁ କଳଶ ଶୋଭାଯାତ୍ରା କରାଯାଇ ମାଙ୍କ ପୀଠରେ କଳଶ ସ୍ଥାପନ କରାଯିବା ପରେ ରୀତିନୀତି ମତେ ମାଙ୍କ ପୂଜାର୍ଚ୍ଚନା କରାଯିବା ସହିତ ଗୀତାଯଜ୍ଞ ଆରମ୍ଭ କରାଯାଇଛି । ପଣ୍ଡିତ ସୁରେନ୍ଦ୍ର ଦାଶ, ନରେନ୍ଦ୍ର ଦାଶ, ଅଶୋକ ତ୍ରିପାଠୀ, କାର୍ତ୍ତିକ ଚରଣ ପଣ୍ଡା, ଚକ୍ରଧର ପଣ୍ଡା, ବାପି ପଣ୍ଡା, ବିଶ୍ୱଜିତ ଦାଶ, ଜିତେନ୍ଦ୍ର ଦାଶ ପ୍ରମୁଖଙ୍କ ବେଦମନ୍ତ୍ର ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଛି । ଏଥିପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମା ଗଡଚଣ୍ଡୀଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି । ମାଙ୍କ ପାଖରେ ତିନିଦିନ ଧରି ଭଜନ ସମାରୋହ ଓ ନାମସଙ୍କିର୍ତ୍ତନ କରାଯିବାର ବ୍ୟବସ୍ଥା କରାଯିବା ସହିତ ଗଡଚଣ୍ଡୀ ପରିଷଦ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ପୁର୍ବରୁ ଏଠାରେ ବର୍ଷକୁ ଦୁଇଦିନ ଯଥା ଦଶହରା ଓ ମକରରେ ମା”୍ଙ୍କ ପାଖରେ ବାର୍ଷିକ ପୂଜା କାହିଁ କେଉଁ ଅମଳରୁ ହୋଇଆସୁଥିବାବେଳେ ୧୯୭୮ମସିହାରୁ ଗଡଚଣ୍ଡୀ ପରିିଷଦ ଗଠନ କରାଯାଇ ଏହି ପୂଜାକୁ ଆଧୁନିକ କରଣ କରାଯାଇ ବଳୀ ପ୍ରଥା ବନ୍ଦ କରିବା ସହିତ ମନ୍ଦିରର ଉନ୍ନତି କରଣ କରାଯାଇଛି ବୋଲି ଗଡଚଣ୍ଡୀ ପରିଷଦ ସଦସ୍ୟମାନେ କହିଛନ୍ତି । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ବ୍ୟୃାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୋସୋ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି ମେଳାରେ ବହୁ ଉଠାଦୋକାନୀ ସେମାନଙ୍କ ପସରା ମେଲାଇ ବସିଛନ୍ତି । ପ୍ରବଳ ଜନସମାଗମକୁ ଆଖିରେ ରଖି ଗୁପଚୁପ, ଚାଟ, ମିଠାଦୋକାନ, ଭୋଗ ଦେକାନ ସାଙ୍ଗକୁ ଅନେକ ଉଠା ହୋଟେଲ ମଧ୍ୟ ଖୋଲା ଯାଇଛି ।