ମକର ସଂକ୍ରାନ୍ତିରେ ଦେଖିବାକୁ ମିଳୁନି ଗୁଡ଼ିଉଡ଼ା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଆଉ ମାତ୍ର ୯ ଦିନ ପରେ ଆସୁଛି ପବିତ୍ର ମକର ସଂକ୍ରାନ୍ତି । ପରମ୍ପରା ଅନୁସାରେ ଏହି ଦିନରେ ଦେଖିବାକୁ ମିଳୁଥିଲା ଆକାଶରେ ରଙ୍ଗବେରଙ୍ଗରେ ଗୁଡ଼ି । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ଛୋଟ ଶିଶୁ ଠାରୁ ଆରମ୍ଭ କରି ଯୁବକ ମାନେ ଗୁଡ଼ି ଉଡ଼ାଇବାରେ ମସଗୁଲ ରହୁଥିଲେ । ସମୟର ତାଳେ ତାଳେ ଡ଼ିଜିଟାଲ ଦୁନିଆ ବଦଳି ଯିବାକୁ ବସିଛି । ଆଧୁନିକ ଯୁଗରେ ଆଉ ଦେଖିବାକୁ ମିଳୁନି ଗୁଡ଼ିଉଡ଼ା ଦୃଶ୍ୟ । ପୂର୍ବେ ଗୁଡ଼ି ଉଡ଼ାଇବାକୁ ନେଇ ସମସ୍ତଙ୍କ ମଧ୍ୟରେ ଦେଖା ଯାଉଥିଲା ବେଶ ଉତ୍ସାହ । ବିଭିନ୍ନ ସ୍ଥାନରେ ଏହି ପରମ୍ପରାକୁ ମନେ ରଖିବା ପାଇଁ ଗୁଡ଼ିକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାର ଦେଖିବାକୁ ମିଳୁଥିଲା । ଗୁଡ଼ି ତିଆରି କରିବା ପାଇଁ ଲୋକେ ନିଜ ହାତରେ ହେଉ ବା ହାଲୁକା କପଡ଼ାରେ ବାଉଁଶ ସାହାର୍ଯ୍ୟରେ ଗୁଡ଼ି ତିଆରି କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଇଣ୍ଟରନେଟ, ସ୍ମାର୍ଟ ଫୋନ ଓ ମୋବାଇଲ ଫୋନ ପ୍ରଥମ ପସନ୍ଦ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଲୋକଙ୍କ ନିକଟରେ ଆଉ ପୂର୍ବଭଳି ସମୟ ନାହିଁ । ଏହା ସହ ଅନ୍ୟ ଏକ କାରଣ ହେଉଛି ଗୁଡ଼ି ଉଡ଼ାଇବା ସକାଶେ ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ କେଉଁଠି ବି ଆଉ ପୂର୍ବଭଳି ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଏହି କାରଣରୁ ଜନମାନସରୁ ଧିରେ ଧିରେ ଲୁଚି ଯିବାକୁ ବସିଲାଣି ମକର ସଂକ୍ରାନ୍ତିରେ ଗୁଡ଼ ଉଡ଼ାଇବାର ପରମ୍ପରା । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାରର କିଛି ସିଜନ ଷ୍ଟୋର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ପ୍ରାୟ ପାନ ଓ ତେଜରାତି ଦୋକାନ ଗୁଡ଼ିକରେ ମକର ସଂକ୍ରାନ୍ତିର ମାସକ ପୂର୍ବରୁ ବିଭିନ୍ନ ଡ଼ିଜାଇନର ଗୁଡ଼ି ବିକ୍ରି ହେଉଥିବାର ଦେଖିବାକୁ ମିଳୁଥିଲା । ଏଥି ସହ ଗୁଡ଼ି ଉଡ଼ାଇବା ପାଇଁ ଶକ୍ତ ସୂତା ବିକ୍ରି ହେଉଥିଲା । ମାତ୍ର ଆଜିର ଡ଼ିଜିଟାଲ ଦୁନିଆରେ ଆଉ ପୂର୍ବ ଭଳି ଦୋକାନ ଗୁଡ଼ିକରେ ଗୁଡ଼ି ବିକ୍ରି ହେଉନାହିଁ । କା ଭାଁ ଗାଁ ଗହଳିରେ କିଛି ପାନ ଦୋକାନରେ ଜରିରେ ନିର୍ମିତ ଗୁଡି ବିକ୍ରି କରାଯିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କିଛି ଶିଶୁ କାଗଜ ଓ ନଡ଼ିଆ ଖଡ଼ିକାକୁ ବ୍ୟବହାର କରି ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଉଥିବାର ଦେଖିବାକୁ ମିଳୁଛି ।