ମକର ସଂକ୍ରାନ୍ତି ପାଇଁ ଚାରିଆଡେ ଉତ୍ସବର ପରିବେଶ
ଭୁବନେଶ୍ବର:- ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି ଚାରିଆଡେ ଉତ୍ସବର ପରିବେଶ ଲାଗିରହିଛି । ଦେଶର ଭିନ୍ନ ଭିନ୍ନ ଭାଗରେ ଭିନ୍ନ ଭିନ୍ନ ନାମରେ ଏହି ପର୍ବ ପାଳନ କରାଯାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଓଡିଶାରେ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଉଥିବା ବେଳେ ଏହି ପର୍ବକୁ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଏବଂ ଗୁଜରାଟରେ ଉତ୍ତରାୟଣ ଭାବେ ପାଳନ କରାଯାଏ । ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଅଟ୍ରି ହଟେଶ୍ୱର ମହାଦେବଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମହାଦେବଙ୍କ ଦର୍ଶନ ସହ ଏଠି ଥିବା ପବିତ୍ର କୁଣ୍ଡର ଜଳ ପାଇଁ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମକର ସଂକ୍ରାନ୍ତରେ ଏଠି ମକରମେଳା ଧୁମଧାମରେ ପାଳନ ହେବାକୁ ଯାଉଛି । ଏହି ଶୈବପୀଠରେ ଥିବା ଉଷ୍ଣପ୍ରସ୍ରବଣ କୁଣ୍ଡ ଶ୍ରଦ୍ଧାଳୁଙ୍କ ବିଶେଷ ଭାବେ ଆକର୍ଷିତ କରିଥାଏ । ବିଶ୍ୱାସ ରହିଛି ଏହି କୁଣ୍ଡରୁ ବାହାରୁଥିବା ପାଣିରେ ଗାଧୋଇଲେ ଚର୍ମରୋଗ ଦୂର ହେବାର ବିଶ୍ୱାସ ରହିଛି । ସେହିପରି ଏଠାରେ ମକର ମେଳାରେ ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜା ପର୍ବ ଅନୁଷ୍ଠିତ ହୁଏ । ଅନ୍ୟପଟେ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକରନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା ହୋଉଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି । ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ମକରବେଢ଼ା । ଏହି ଅବସରରେ ମାଳଚୁଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମକରସଂକ୍ରାନ୍ତି ଅବସରରେ ମକରଚାଉଳ ଭୋଗ ସହ ମହାପ୍ରଭୁଙ୍କ ମକରବେଶ ଦେଖିବା ପାଇଁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାରେ ଲାଗିଛି ।