ମକର ସଂକ୍ରାନ୍ତି ରେ ମାଁ ଙ୍କ ପୀଠରେ ଭକ୍ତଙ୍କ ସମାଗମ
ପୋଲସରା, (ଅନିଲ କୁମାର ମହାରଣା):ପବିତ୍ର ମକର ସଂକ୍ରାନ୍ତି, ଜାନୁଆରୀ ୧୪ ତାରିଖ ଦିନ ବିଭିନ୍ନ ମନ୍ଦିର ଓ ଶକ୍ତି ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଅଛି। ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର କସିପଡା ସ୍ଥିତ ମାଁ ସିଂହାସନୀ ଶକ୍ତି ପୀଠରେ ଭକ୍ତଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଥିଲା। ବର୍ଷର ସମସ୍ତ ସଂକ୍ରାନ୍ତି ଦିନ ମାଁ ସିଂହାସନୀଙ୍କ ଦର୍ଶନ ପାଇବା ପାଇଁ ଭକ୍ତଙ୍କ ସମାଗମ ହେଉଥିବା ବେଳେ ପବିତ୍ର ମକର ସଂକ୍ରାନ୍ତି ଦିନ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ମାଁ ସିଂହାସନୀଙ୍କ ଶକ୍ତି ପୀଠରେ ମାଁ ଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ବିଭିନ୍ନ ଅଞ୍ଚଳରୁ ଆସିବା ସଜ ବଣଭୋଜି କରୁଛନ୍ତି। ସକାଳ ୬ ଘଣ୍ଟା ସମୟରେ ମାଁ ଙ୍କ ରୀତିନୀତି ଅନୁସାରେ ଆଳତୀ କରାଯାଇ ମାଁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ପାଇଁ ଦ୍ବାର ଖୋଲାଯାଇଥିଲା। ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ଯବସ୍ଥା ସହ ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବା ପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ଟ୍ରଷ୍ଟି ରଘୁନାଥ ସାହୁ ଓ ପୂଜକ ରଞ୍ଜିତ ଜାନୀ ପ୍ରକାଶ କରିଥିଲେ। ପୋଲସରା ବ୍ଳକର ଛଞ୍ଚଣିଆପଲ୍ଲୀ ଗ୍ରାମର ମଦନ ଖଣ୍ଡୁଆଳ ଓ ରଚନା ଖଣ୍ଡୁଆଳ, ଖଲ୍ଲିକୋଟ ବ୍ଳକର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ କୁମାରୀ ଦାସ, ପୋଲସରାର ରୁନାରାଣୀ ପଟନାୟକ, କବିସୂର୍ଯ୍ୟନଗର ବ୍ଳକର ଏ.ବରିଡା ଗ୍ରାମର ଚନ୍ଦ୍ରମଣି ସାହୁ ଓ ଭାଟପଡା ଗ୍ରାମର ଚିତରଞ୍ଜନ ପ୍ରଧାନ ମାଁ ଙ୍କ ଦର୍ଶନ ପାଇବା ସହିତ କମିଟି ପକ୍ଷରୁ ସୁରକ୍ଷାର ବନ୍ଦୋବସ୍ତ ଓ ମନ୍ଦିରର ଉନ୍ନତି କରଣ ଓ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶ ଦେଖି ଅତ୍ୟନ୍ତ ଖୁସୀ ଅନୁଭବ କରିଥିଲେ।


