ମଙ୍ଗରାଜପୁରରେ ଯୁବତୀଙ୍କୁ ହତ୍ୟା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ସୋମବାର ଦିନ ସନ୍ଧ୍ୟାରେ ଜଣେ ନବବିବାହିତା ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ତାଙ୍କ ନାମ ଏମ୍. ଶିବାନୀ ରେଡି (୨୧)।ଶିବାନୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ପରିବାର ଲୋକେ କହିଥିବା ବେଳେ ଖୋଦ୍ ଶିବାନୀଙ୍କ ମା’ କେ.ଜୟନ୍ତୀ ରେଡି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।ଶିବାନୀଙ୍କୁ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିବା ପରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହା ଜାଣିବା ପରେ ଶିବାନୀଙ୍କ ସ୍ବାମୀ ଏମ୍ . ସନ୍ତୋଷ ଓ ଅନ୍ଯମାନେ ମୃତଦେହ ଛାଡି ଚାଲିଯାଇଥିବା ଜଣାପଡିଛି।ସୂଚନା ପ୍ରକାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୈତନ୍ଯପୁର ଗ୍ରାମର କେ. ବିଜୟ ରେଡିଙ୍କ ଝିଅ ଶିବାନୀ ଗତ ପ୍ରାୟ ତିନି ବର୍ଷ ତଳେ ମଙ୍ଗରାଜପୁର ଗ୍ରାମର ସନ୍ତଙ୍କୁ ବିବାହ କରିଥିଲେ।ପ୍ରାୟ ଅଢେଇ ବର୍ଷ ଧରି ଦାମ୍ପତ୍ୟ ଜୀବନ ଖୁସିରେ କଟିଥିଲେ ମଧ୍ୟ ଛ’ ମାସ ତଳେ ଶିବାନୀଙ୍କ ସୁନା ଗହଣାକୁ ତାଙ୍କ ସ୍ବାମୀ ବନ୍ଧକ ପକାଇଦେବା ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ଯ ଆରମ୍ଭ ହୋଇ ଯାଇଥିଲା।ବିଭିନ୍ନ ସମୟରେ ଶିବାନୀଙ୍କୁ ମା’ ଘରକୁ ଚାଲି ଯିବାକୁ ବାଧ୍ୟ କରାଯିବା ସହ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ମା’ ଜୟନ୍ତୀ କହିଛନ୍ତି।ଘଟଣା ସମ୍ପର୍କରେ ପୋଲିସ ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଥିବା ଜଣାପଡିଛି। ରିପୋର୍ଟ ଲେଖାହେବା ସୁଦ୍ଧା ଏନେଇ ଥାନାରେ ଏତଲା ହୋଇନଥିବା ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ମଙ୍ଗଳବାର ମୃତଦେହ ବ୍ଯବଚ୍ଛେଦ କରାଯିବା ସହ ବ୍ଯବଚ୍ଛେଦ ରିପୋର୍ଟ ଭିତ୍ତିରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆଇଆଇସି ସ୍ପଷ୍ଟ କରିଛନ୍ତି।