ମଙ୍ଗୁଲି ଗ୍ରାମରେ ୩ ରାସ୍ତା ଶୋଚନୀୟ; ମରାମତି ଦାବୀ କଲେ ଗ୍ରାମବାସୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମରେ ୩ଟି ରାସ୍ତା ଶୋଚନୀୟ ହୋଇପଡିଛି । ଏସମସ୍ତ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ପ୍ରକାଶ ଯେ, ମଙ୍ଗୁଲି ଗ୍ରାମର ବ୍ରାହ୍ମଣ ସାହି ଠାରୁ ଆର୍.ଡି ରୋଡ ପର୍ଯ୍ୟନ୍ତ ୩ ଶହ ମିଟର, ପି.ଏମ୍.ଜି.ଏସ୍.ୱାଇ ରୋଡ ପର୍ଯ୍ୟନ୍ତ ୫ ଶହ ମିଟର, କାଣ୍ଡଗାଢିଆ ଛକରୁ ଆର୍.ଡି ରୋଡ୍ ପର୍ଯ୍ୟନ୍ତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ରାସ୍ତାରେ ପାଣି ଜମି ରହିବା ଫଳରେ ପିଲା ମାନେ ବିଦ୍ୟାଳୟକୁ ଯାଆସ କରିପାରୁନାହାନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଆସି ପାରୁନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା କିମ୍ବା ଜରୁରୀ କାର୍ଯ୍ୟରେ ଲୋକ ମାନେ ଏହି ରାସ୍ତା ଦେଇ ବ୍ଲକ ଓ ଜିଲା ସଦର ମହକୁମାକୁ ଯାତାୟତ କରିପାରୁନାହାନ୍ତି । ବହୁ ବର୍ଷ ହେବ ରାସ୍ତା ମରାମତି ହୋଇନଥିବାରୁ ଏହା ଏବେ ମରଣଯନ୍ତା ପାଲଟିଛି । ଏସମସ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ନେଇ ଗ୍ରାମର ନାରାୟଣ ଦାଶ, ପ୍ରଫୁଲ୍ଲ ରାଉତ, ସୁବ୍ରତ କର, ଅନନ୍ତ ଦାଶ, ନିରଂଜନ ଦାଶ, ବଳରାମ କର, ଜଗବନ୍ଧୁ କର, ସଂଜୟ ଦାଶ, ପ୍ରତାପ ସାହୁ, ମାନସ ପତି, ଅକ୍ଷୟ ଦାଶ, ରାହୁଲ ଦାସ, ଶରତ ଦାଶ, ସୁଭଦ୍ରା କର, ସନାତନ ଦାଶଙ୍କ ସମେତ ବହୁ ବ୍ୟକ୍ତି ଜିଲ୍ଲାପାଳ, ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି ।


