ମଝି ରାସ୍ତାରେ ଜନ୍ମ ଦେଲେ ତିନି ପୁତ୍ର ସନ୍ତାନ
ରାୟଗଡା,(ଦୁର୍ଗା ପ୍ରସାଦ ପାଢ଼ୀ): ରାୟଗଡା ଜିଲ୍ଲାର ଦୁର୍ଗମ ଇଲାକାରେ ରହୁଥିବା ମହିଳାଙ୍କ ପାଇଁ ଗର୍ଭ ଧାରଣ ଏକ ଅଭିଶପ୍ତ । ନୀରବଚିହ୍ନ ରୂପେ ମତ ଦେଇ ତିନି ବିଧାୟକ ଆଉ ଜଣେ ସାଂସଦଙ୍କୁ ନିର୍ବାଚିତ କରି ଭୁବନେଶ୍ୱରରୁ ଆରମ୍ଭ କରି ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ପଠାଉଛନ୍ତି । ମନରେ ଗୋଟିଏ ଆଶା ଏଥରକ ହେଲେ ମୋ ଭୁଆଶୁଣୀଟା ସୁରକ୍ଷିତ ପ୍ରସବ କରିବ। ତେବେ ଆଜି ନିୟମଗିରୀ ପାହଡରୁ ଗର୍ଭ ଯନ୍ତ୍ରଣା ପୀଡ଼ିତା ଜଣେ ଆଦିମ ଜନଜାତି ଡ଼ଙ୍ଗରିଆ ମହିଳା ଭାରତର ବୁହା ହୋଇ ଆସି ରାସ୍ତାରେ ତିନି ତିନୋଟି ସନ୍ତାନ ପ୍ରସବ କରିବା ଘଟଣା ଜିଲ୍ଲାରେ ମାତୃ ଓ ଶିଶୁ ସୁରକ୍ଷା ଯୋଜନାକୁ ଝିଙ୍ଗାସୁଛି । ବର୍ଷ ବର୍ଷ ଧରି ଗର୍ଭବତୀଙ୍କ ପରିଜନଙ୍କ ଆଶା ଖଣ୍ଡିଏ ରାସ୍ତା ପାଇଁ ମଉଳି ଯାଇଛି । ସତରେ କଣ ଏ ଜିଲ୍ଲାରେ ଗର୍ଭଧାରଣ ଏକ ଅଭିଶାପ ବୋଲି ଡ଼ଙ୍ଗରିଆ ପାହାଡ ମୂଳକରୁ ଶୁଭୁଛି । ଜନନୀ ଯନ୍ତ୍ରଣା ରାୟଗଡା ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି ଯାହାକି କୋହଭରା ସହ ହୃଦୟ ବିଦାରକ। ଏଭଳି ଘଟଣା ଯାହାକି ଦୁର୍ଗମ ମୁନିଗୁଡା ବ୍ଲକ ମୁନିଖୋଲ ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହାଡ ଶିଖର ଗାଁ ଜେନିଗୁଡା ଗ୍ରାମର ଲଖଣ ଶିକକାଙ୍କ ସ୍ତ୍ରୀ ଫୁଲେମା ଶିକକା (୨୭) ଗର୍ଭବତୀ ରହିଥିବା ବେଳେ ଆଜି ପ୍ରସବ ଯନ୍ତ୍ରଣା ହୋଇଥିଲା। ଗାଁରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲେ। ପରେ ପୁଣି ଯନ୍ତ୍ରଣା ହେବାରୁ ଏହି ଗାଁକୁ ରାସ୍ତା ନଥିବା ପରେ ଶାଢ଼ୀକୁ ଭାର କରି ଭାରରେ ବୁହା ହେଲେ। ଏହି ସମୟରେ ଫୁଲେମା ଯାଉଥିବା ରାସ୍ତାରେ ହିଁ ପ୍ରସବ ହୋଇଥିବା ଖବର ପୁଣି ସରକାର ଓ ପ୍ରଶାସନର ମୁଁହରେ ଏକ ଶକ୍ତ ଚାପୁଡ଼ା। ଉକ୍ତ ଗର୍ଭବତୀ ମହିଳାଙ୍କୁ ୭ କିମି ରାସ୍ତାରେ ଭାରରେ ବୋହି ଆଣିବା ସମୟରେ ଆଶା ଦିଦୀ ରୁଡୁମା ପାଲକିଆଙ୍କ ସହଯୋଗରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ରାୟଗଡା ଜିଲ୍ଲା ଚିକିତ୍ସାଳୟର ଭର୍ତ୍ତି କରିଥିବା ସୂଚନା ଯୁବ ଆଦିବାସୀ ନେତା ଜିତୁ ଜାକେସିକା ଦେଇଛନ୍ତି । ଏଭଳି ଘଟଣାକୁ ନେଇ ମଧ୍ୟ ସେ ନିନ୍ଦା କରିଛନ୍ତି। ସୂଚନା ମୁତାବକ ନିୟମଗିରି ଭଳି ଦୁର୍ଗମ ଅଞ୍ଚଳ ପାଇଁ ସରକାରଙ୍କ ଅନେକ ଯୋଜନା ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଗାଁକୁ ପକ୍କା ରାସ୍ତା ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୨୦୧୭ ରୁ କାର୍ଯ୍ୟ ହେଉଥିବା ବେଳେ ଏହା ଅଧପନ୍ତରିଆ ଭାବେ ପଡି ରହିଛି । ଯାହାଫଳରେ ଉକ୍ତ ଗାଁକୁ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରିନଥିବା ମୁନିଖୋଲ ସରପଞ୍ଚ ପାଇକ ଜାକାସିକା କହିଛନ୍ତି। ଉକ୍ତ ଗର୍ଭବତୀ ଏବଂ ଗୋଟିଏ ପୁତ୍ର ସନ୍ତାନଙ୍କୁ ଗାଁ ଠାରୁ ୭ କିମି ଦୂର ମଣ୍ଡା ଗାଁ ପର୍ଯ୍ୟନ୍ତ ଭାରରେ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ସୂଚନା ମିଳିଛି। ତେବେ ଫୁଲେମା ସିକକା ତିନି ପୁତ୍ର ସନ୍ତାନ ଜନ୍ମ କରିଥିବା ବେଳେ ସମସ୍ତ ସନ୍ତାନ ସୁସ୍ଥଥିବା ଆଶା ଦିଦି ପ୍ରକାଶ କରିଛନ୍ତି।