ମଞ୍ଜୁରା ପଂଚାୟତରେ ମନରେଗା ପ୍ରକଳ୍ପରେ କାମକରି ମଜୁରୀ ନପାଇବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ନାଞ୍ଜୁରା ଗ୍ରାମପଂଚାୟତର ଦୋଳିଗାଁ ଓ ନାଞ୍ଜୁରା ଗ୍ରାମର ଅଧିବାସୀମାନେ ମନରେଗା ପ୍ରକଳ୍ପରେ କାମକରି ମଜୁରୀ ନପାଇବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ନାଞ୍ଜୁରା ପଂଚାୟତର ରାଧା ତରେଇ ଘର ସମ୍ମୁଖରେ ଗତ କରୋନା ମହାମାରୀ ସମୟରେ ଜବକାର୍ଡଧାରୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପଂଚାୟତ ପକ୍ଷରୁ ଏକ ନୂତନ ପଂଚାୟତ ପୋଖରୀ ଖୋଳାଯାଇଥିଲା । ସେହି ପ୍ରକଳ୍ପରେ ଦୋଳିଗାଁ ଓ ନାଞ୍ଜୁରା ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ଜବକାର୍ଡଧାରୀ ନିଜର ଜବକାର୍ଡ ଦାଖଲ କରି କାମ କରିଥିବା ବେଳେ ସେମାନଙ୍କୁ ମଜୁରୀ ପ୍ରଦାନ କରାଯାଇନଥିବା ବେଳେ ରାଜ୍ୟ ବାହାରେ ରହୁଥିବା ଲୋକ ଏବଂ ନାବାଳକ ଓ ନାବାଳିକାଙ୍କ ନାମରେ ବେଆଇନ ଭାବରେ ସରକାରୀ ଅର୍ଥ ପୈଠ କରାଯାଇ ସେହି ଅର୍ଥକୁ ହଡପ କରାଯାଇଥିବାର ଅଭିଯୋଗ ହୋଇଛି । ଏହି ପ୍ରକଳ୍ପରେ କାମକରିନଥିବା ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ୪ଲକ୍ଷରୁ ଉର୍ଦ୍ଧ୍ୱ ଅର୍ଥ ଯାଇଥିବା ବେଳେ ସେମାନେ ହେଉଛନ୍ତି ବାସୁଦେବ ନାୟକ, କୈଳାସ ତରାଇ, ମଳୟ ସ୍ୱାଇଁ, ବିବେକାନନ୍ଦ ସ୍ୱାଇଁ, ସନାତନ ମଲ୍ଲ, ପାର୍ବତୀ ମଲ୍ଲ, ସରୋଜ ମଲ୍ଲ, କଳ୍ପତରୁ ମଲ୍ଲ, ବିନତୀ ମଲ୍ଲ, ମିନତୀ ରାଉତ , ବାବାଜୀ ତରାଇ, ବର୍ଷାମିନି ତରାଇ, ହରେକୃଷ୍ଣ ସ୍ୱାଇଁ, ମାମି ମଲ୍ଲିକ, ଚନ୍ଦ୍ରଭାନୁ ଲେଙ୍କା, ଶାନ୍ତିଲତା ଲେଙ୍କା, ଦିପ୍ତିରଞ୍ଜନ ନାୟକ ପ୍ରମୁଖ । ଏଥିସହିତ ଯେଉଁ ନାବାଳକ ଓ ନାବାଳିକାଙ୍କ ବ୍ୟାଙ୍କ ଖାତାକୁ ଏହି ପ୍ରକଳ୍ପର ଅର୍ଥ ଯାଇଛି ସେମାନେ ହେଉଛନ୍ତି ଅଭିଜିତ ମହାନ୍ତି(୧୭ବର୍ଷ), ମନୋଜ ସ୍ୱାଇଁ(୧୭ବର୍ଷ), ପ୍ରିତିନନ୍ଦା ସ୍ୱାଇଁ(୧୭ବର୍ଷ), ଲକ୍ଷ୍ମୀପ୍ରିୟା ସ୍ୱାଇଁ(୧୭ବର୍ଷ) ବୋଲି ଅଭିଯୋଗ ହୋଇଛି । ତେଣୁ ଏହି ମହାଦୁର୍ନିତୀ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସେଥିରେ ସଂପୃକ୍ତ ଥିବା ନାଞ୍ଜୁରା ପଂଚାୟତର ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ(ଜି.ଆର.ଏସ.) ଓ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେହି ପ୍ରକଳ୍ପରେ କାମ କରିଥିବା ପ୍ରକୃତ ଜବକାର୍ଡଧାରୀମାନଙ୍କୁ ସେମାନଙ୍କ ମଜୁରୀ ପ୍ରଦାନ କରାଯିବାକୁ ମୁକୁନ୍ଦ ମହାପାତ୍ର, ତ୍ରିଲୋଚନ ମହାନ୍ତି, ନାରାୟଣ ସ୍ୱାଇଁ, କାଳନ୍ଦି ମଲ୍ଲିକ, ମନୁ ମଳିକ, ରାଜନ ମଳିକ, ବିଘ୍ନେଶ୍ୱର ମଳିକ, ଆଦିକନ୍ଦ ମଳିକ, ସରୋଜ ନାୟକ, ମରେଶ୍ୱର ମଳିକ, ପ୍ରଶାନ୍ତ ସ୍ୱାଇଁ, ସୋମନାଥ ସ୍ୱାଇଁ ପ୍ରମୁଖ ଦାବିକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ