ମଞ୍ଜୁରୀରୋଡ ଫାଣ୍ଡି ଅଞ୍ଚଳରେ ବୃଦ୍ଧି ପାଉଛି ବେଆଇନ କାର୍ଯ୍ୟ
ଭଣ୍ଡାରିପୋଖରୀ,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ଥାନା ଅଧିନ ମଞ୍ଜୁରୀରୋଡ ଫାଣ୍ଡି ଅଞ୍ଚଳରେ ବେଆଇନ କାର୍ଯ୍ୟ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଫାଣ୍ଡି ଅଧିନରେ ବ୍ଲକର ବନ୍ଦାଳୋ-ମଢିଆଳୀ, ତେସିଙ୍ଗା, ରାଜେନ୍ଦ୍ରପୁର, ସାନଶାସନ, ନାଆମୀ, ଝୁଟୁଣା ପଞ୍ଚାୟତ ରହିଥିବାବେଳେ ନିକଟ ରେଳ ଷ୍ଟେସନ ଅଞ୍ଚଳ ମଧ୍ୟ ରହିଛି । ପଞ୍ଚାୟତ ଗୁଡିକରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ସହିତ ମଞ୍ଜୁରୀରୋଡ ଭଳି ଏକ ବୃହତ୍ତ ଗ୍ରାମ୍ୟ ବଜାରର ଶୃଙ୍ଖଳାଗତ ପରିଚାଳନା ଦାୟିତ୍ୱ ଫାଣ୍ଡି ହାତରେ ନ୍ୟସ୍ତ ରହିଛି । ଏଠାରେ ମଞ୍ଜୁରୀରୋଡ ରେଳ ଷ୍ଟେସନ ଥିବାରୁ ଫାଣ୍ଡିର ଗୁରୁତ୍ୱ ମଧ୍ୟ ଆହୁରି ଦ୍ୱିଗୁଣିତ ଭଳି ମନେହୁଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଜିଲ୍ଲାର ଶେଷଭାଗରେ ଫାଣ୍ଡିଟି ଥିବାବେଳେ ପଡୋଶୀ ଯାଜପୁର ଓ କେନ୍ଦୁଝର ଜିଲ୍ଲା ବେଆଇନ ଅନୁପ୍ରବେଶକୁ ରୋକିବା ପୋଲିସର ପ୍ରମୁଖ କର୍ତ୍ତବ୍ୟ ହୋଇଛି । ପରିତାପର ବିଷୟ ଏତେ ସବୁ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବାବେଳେ ଦୈନନ୍ଦିନ ଫାଣ୍ଡି ଅଞ୍ଚଳରେ ବେଆଇନ କାର୍ଯ୍ୟ ହେଉଥିବାରୁ ବୃଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଛଅଗୋଟି ପଞ୍ଚାୟତର ବିଭିନ୍ନ ଗାଁରେ ଚୋରାଦେଶୀ, ବିଦେଶୀ ମଦ ସହିତ ମହୁଲୀ , ଗଞ୍ଜେଇ ଓ ଅଫିମ ଭଳି କାରବାର ବୃଦ୍ଧି ପାଉଥିବାବେଳେ ଫାଣ୍ଡି ନାକ ଅଗ କୁହାଯାଉଥିବା ମଞ୍ଜୁରୀରୋଡ ବଜାର ଠାରେ ମଧ୍ୟ ଚୋରା ବେପାର ହେଉଥିବା ଜଣାପଡିଛି । ବେପାରୀମାନେ ଦିନଦ୍ୱିପ୍ରହରେ ପଡୋଶୀ ଜିଲ୍ଲାରୁ ମୋଟରସାଇକେଲ ଓ ସାଇକେଲ ଯୋଗେ ମଦ ପରିବହନ କରୁଥିବାବେଳେ ଦିବାଲୋକରେ ଏହାକୁ ଅନାଶ୍ରୟରେ ବିକିଚାଲିଛନ୍ତି । ଏହାଛଡା ନିକଟ ବୈତରଣୀ ନଦୀରୁ ଦୈନନ୍ଦିନ ବେଆଇନ ବାଲି ଚାଲାଣ ହେଉ କିମ୍ବା ସୀମାପାର ଗୋରୁଗାଡି ଯାତାୟତ ହେଉ ସବୁକୁ ଫାଣ୍ଡି ଦେଖୁଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ପୁଲିସ ଉପରେ ଆସ୍ଥା ହରାଇ ବସିଲେଣି । ତେଣୁ ଏହା ଉପରେ ଏସପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।