ମଟନଟା ଭାରି ଦାମୀ ମାଂସ

ଦିପ୍ତିମୟୀ ନାୟକ
ଆଜିକାଲି ଜୀବନ ଅପେକ୍ଷା ମଟନର ଲୋଭ ବେଶି ରହୁଛି | ଏଠି ମଣିଷ ମରିଗଲେ ଦୁଃଖ ନାହିଁ କିନ୍ତୁ ମଟନ ନଷ୍ଟ ହେଲେ ଦୁଃଖ | ସତେଯେପରି ଏହି ବହୁମୂଲ୍ୟ ଜୀବନଟା ଆଜି ହତଆଦର ହୋଇପଡିଛି ଆଉ ମଟନର ଆଦର ବଢ଼ି ଯାଇଛି | ତେବେ ଆପଣ ଭାବୁଥିବେ କାହା ଜୀବନ ଅପେକ୍ଷା ସତରେ କଣ ମଟନର ଚାହିଦା ବେଶି | ତେବେ ମୁଁ ଏଠାରେ ନିଶ୍ଚିନ୍ତ କହିବି ଯେ, ଯଦି ମଟନଟା ଏତେ ଦାମୀ ମାଂସ ହୋଇନଥାନ୍ତା ତାହେଲେ ଆଜି ଏ ଜୀବନ ତୁଚ୍ଛ ଭଳି ଲାଗିନଥାନ୍ତା କାରଣ ମୁଁ ଦେଖିଛି ସେହି ଜୀବନକୁ ଆଉ ମୁଁ ଦେଖିଛି ଲୋକଙ୍କ ମନରେ ଥିବା ସେହି ମଟନର ଲୋଭକୁ | ତେବେ ଗୋଟେ ଗାଁରେ ଗୋଟେ ବଡ଼ ପରିବାରଟିଏ ରହୁଥାନ୍ତି | ସେମାନେ ବହୁତ ହସ ଖୁସିରେ ସେଠାରେ ଚଳନ୍ତି | ବୟସ ବଢିଲେ ମୃତ୍ୟୁ ସୁନିଶ୍ଚିତ ଆଉ ମୃତ୍ୟୁ ହୋଇଗଲେ ନିଜ ପ୍ରିୟଜନ ସେହି ବ୍ୟକ୍ତିଙ୍କ ପାଇଁ କାନ୍ଦିବା ସୁଚିନ୍ତିତ ହୋଇଥାଏ | ଲୋକମାନେ ଏଥିପାଇଁ କାନ୍ଦନ୍ତି କାରଣ ସେମାନେ ଯେଉଁ ଲୋକଙ୍କୁ ହରେଇ ଥାଆନ୍ତି ତାଙ୍କ ଠାରୁ ସେମାନେ ଅନେକ ସ୍ନେହ ମମତା ପାଇଥାନ୍ତି ଆଉ ଲୋକଟିର ଯେତେବେଳେ ବିୟୋଗ ହୁଏ ସେତେବେଳେ ସେହି ଲୋକର ଭଲପାଇବା ମିଳିବନି ବୋଲି ଆଖିରୁ ଲୁହ ଚାଲିଆସେ କିନ୍ତୁ ବର୍ତ୍ତମାନ ସମୟ ବଦଳିଛି ଯିଏ ମରିଯାଉଛି ତ ମରିଯାଉ | ଆଉ ଯଦି ଘରେ ମଟନ (ଖାସି ମାଂସ ଝୋଳ) ହୋଇଛି ସେଟା ନଷ୍ଟ ନହେଉ କାରଣ ଏଟା ଦାମୀ ମାଂସ ନଷ୍ଟ ହେଲେ ଭାରି ବାଧିବ | ହେଲେ ଏ ମଣିଷ କେବେ ବୁଝିବ ଦାମୀ ମାଂସ ଅପେକ୍ଷା ଜୀବନର ମୂଲ୍ୟ କେତେ | ମଟନ ନଷ୍ଟ ହେଲେ ପୁଣି କିଣି ଖାଇହେବ କିନ୍ତୁ ଲୋକ ମରିଗଲେ ତାକୁ କଣ ଆଉ ବଞ୍ଚେଇ ହେବ |
ଅନେକଥର ଶୁଣିବାକୁ ମିଳେ ଏହି ଦାମୀ ମାଂସ ଖାଉଥିବା ଦାମିକିଆ ଲୋକଙ୍କ କଥା | ମଟନ ଖାଇବା କୌଣସି ବଡ଼ କଥା ନୁହେଁ କିନ୍ତୁ ନିଜକୁ ଦାମୀ ମଣିଷ କହିବାକୁ ହେଲେ ଏଠି ପ୍ରତିଟି କଥାରେ ଆମର ମଟନ ହେଇଥିଲା କହିବା ସତେ ଯେମିତି ଜରୁରୀ ହୋଇପଡିଛି | ଏ ଲୋକମାନେ ଏମିତି କୁହନ୍ତି ଗୋଟେ ସାଧାରଣ ଲୋକଟିଏ ମଧ୍ୟ କହିବାକୁ ଭୁଲିଯାଏ ସେ ଆଜି କଣ ଖାଇଛି ଆଉ କଣ ରୋଷେଇ କରିଛି | ଠିକ ସେମିତି ଆଉ ଗୋଟେ କଥା ମୋ ନଜରକୁ ଆସିଥିଲା ସତ କହିବାକୁ ଗଲେ ସବୁ ଲୋକ ମଟନ (ଖାସି ମାଂସ) ଖାଇପାରନ୍ତିନି କାରଣ ଖାସି ମାଂସ ଦାମ ଯେତେ ଗୋଟେ ସାଧାରଣ ଲୋକର ୩ ଦିନର ପାରିଶ୍ରମିକ ସେତେ ହୋଇଥାଏ | ଆଉ ସେ କେମିତି ମଟନ ଖାଇପାରିବ | କେମିତି ଗର୍ବ କରି କହିପାରିବ ଆମର ଆଜି ମଟନ ହୋଇଛି କିନ୍ତୁ ଲୋକ ଡାକି ଡାକି କୁହନ୍ତି ଆମର ମଟନ ହୋଇଛି | ଯେଉଁମାନେ ଟିକେ ମଟନ ଝୋଳ କାହା ଘରକୁ ଦେବେନି ସେହିମାନେ ଅନ୍ୟକୁ ବାରମ୍ବାର କହିବେ ଦେଖ ଆମର ମଟନ ଝୋଳ ହୋଇଛି | ସତ କହିବାକୁ ଗଲେ ଏଠି ପଇସା ଥିଲାଵାଲା ମଟନ ଖାଉଛି ଆଉ ପଇସା ନଥିଲା ଵାଲା ଟିକେ ମଟନ ଖାଇବ ବୋଲି ଡହଳ ବିକଳ ହେଉଛି | ପଇସା ଥିଲା ଵାଲା ଅନ୍ୟକୁ ଦେଖେଇ କହୁଛି ଆମର ମଟନ ହେଇଛି ଆଉ ପଇସା ନଥିଲା ଵାଲା କହୁଛି ମଟନ ଖାଇବାକୁ ଇଚ୍ଛା କଲେ ପଇସା କେଉଁ ପାଉଛି | ମଟନ ଖାଇବା ଆଶା ଆଶାରେ ହିଁ ରହୁଛି | ତେଣୁ ମଟନ ଖାଆନ୍ତୁ କିନ୍ତୁ ଏତେ ଫୁଟାଣି ମାରି କୁହନ୍ତୁନି ଆପଣ ମଟନ ଖାଇଛନ୍ତି କାରଣ ଏଟା କେଉଁ ବଡ଼ କଥା ନୁହେଁ ତମେ ମଟନ ଖାଇଛ | ଲୋକ ରୋଜଗାର ଦେଖି ମଟନ ଖାଆନ୍ତି ଆଉ ରୋଜଗାର ନଥିଲେ କେବେ କେମିତି ମଟନ ଖାଆନ୍ତି ହେଲେ ଦେଖେଇ ହୋଇ କାହାକୁ କୁହନ୍ତୁନି ମୁଁ ମଟନ ଖାଇଛି |
ଆଜିକାଲି ଲୋକ ସ୍ଥାନ, କାଳ, ପାତ୍ର ଦେଖୁ ନାହାଁନ୍ତି କେଉଁଠି କେଉଁ କଥା କହିବା ଜରୁରୀ ହୋଇଥାଏ | ଆଜିକାଲି ଲୋକ ମରିକି ପଡ଼ିଥିଲେ ଲୋକ କହୁଛନ୍ତି ଗଲା ୟାକୁ କଣ ଆଜି ମରିବାର ଥିଲା | ମୋ ମଟନ ନଷ୍ଟ ହୋଇଗଲା | ହେଲେ ସେମାନେ କାହିଁକି ଏକଥା କୁହନ୍ତିନି ଆହାଃ କେମିତି ହେଲା | କାହିଁକି ଏମିତି ସେ ଆମକୁ ଛାଡିଗଲା | ଲୋକ ଲୋକଙ୍କୁ ବାଟରେ କେଉଁଠି ଦେଖା ହେଲେ ଆରେ ତୁ ଯା ଘରକୁ ଆମର ମଟନ ହୋଇଛି ମୁଁ ଯାଉଛି ଘରକୁ କିନ୍ତୁ ଏକଥା କାହିଁକି କୁହନ୍ତୁନି ତୁ ଘରକୁ ଯା ମୁଁ ବି ଘରକୁ ଯାଉଛି | ଏମିତି ଅନେକ କଥା ମଝିରେ ମଟନଟା ଚାଲିଆସେ | ସତ କହିବେ ମଣିଷ ଜୀବନ ଆଉ ମଣିଷର ଭଲପାଇବା ଅପେକ୍ଷା କଣ ଏହି ମଟନଟା ବଡ଼ କି | ହସ ଖୁସିରେ କଥା ହେଲେ ମଟନ ନାଁ ଉଠେଇବା କଣ ନିହାତି ଜରୁରୀ କି | ଯଦି ଆପଣ ନିଜେ ଅନୁମାନ କରିବେ ତେବେ ନିଶ୍ଚିନ୍ତ ଜାଣିପାରିବେ ଆଉ ଶେଷରେ ଏତିକି କହିବେ ମଟନଟା ଭାରି ଦାମୀ ମାଂସ ନୁହେଁ କି |
ବେଳେବେଳେ କିଛି ଲୋକଙ୍କୁ ଏହି ମଟନ କଥା ଦୁଃଖ ଦେଇଥାଏ ଆଉ କିଛି ଲୋକଙ୍କୁ ଖୁସି ଦେଇଥାଏ | ସେଥିପାଇଁ ମଣିଷର ସୁଖରେ ଦୁଃଖରେ ଏହି ମଟନ ନାଁଟା ହିଁ ରହିଥାଏ କାରଣ ଆଜିର ଦିନରେ ମଟନଟା ଭାରି ଦାମୀ ମାଂସର ଆଖ୍ୟା ପାଇଥାଏ | ମଟନ ଯଦି ଖୁସିରେ ଖାଉଛନ୍ତି ଆପଣ ଖାଆନ୍ତୁ କିନ୍ତୁ ଏତେ ଡିଣ୍ଡିମ ପିଟିକି କହିଲା ଭଳି କୁହନ୍ତୁନି | ସମସ୍ତେ ମଟନ ଖାଆନ୍ତି ଲୋକଙ୍କ ଭାବନାକୁ ବୁଝନ୍ତି | ଲୋକଙ୍କ ଦୁଃଖ ବେଳରେ ଆଖିରୁ ଲୁହ ଝରେଇ ପାରନ୍ତି ଆଉ ସେମାନଙ୍କୁ ହସେଇବା ପାଇଁ ସେମାନଙ୍କ ଓଠରେ ମଧ୍ୟ ହସ ଦେଇଥାଆନ୍ତି |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ