ମଠ ମନ୍ଦିରରେ ଝୁଲଣ
ବିପିନ ବିହାରୀ ମହାନ୍ତି
ଓଡ଼ିଶାର ଧର୍ମୀୟ ପରମ୍ପରାରେ ଝୁଲଣର ସ୍ଥାନ ସ୍ୱତନ୍ତ୍ର । ଦୋଳ ଉତ୍ସବରେ ଠାକୁରମାନେ ଦୋଳରେ ବା ଦୋଳ ବିମାନରେ ଦୋଳ ପଡ଼ିଆକୁ ମହାମିଳନ ପାଇଁ ନାନା ପଟୁଆରର ରୋଷଣୀ ମଧ୍ୟରେ ବିଜେ କରନ୍ତି । ଅବଶ୍ୟ ଜଗନ୍ନାଥ ଏହାର ଏକ ବ୍ୟତିକ୍ରମ । ସେ ଆଷାଢ଼ ମାସରେ ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ାରେ ରଥ ବିଜେ କରନ୍ତି । କିନ୍ତୁ ଚନ୍ଦନ ଯାତ୍ରାରେ ତାଙ୍କର ପ୍ରତିକୃତି ଦୋଳରେ ଯାଇ ଚନ୍ଦନ ପୋଖରୀରେ ଚନ୍ଦନ ଯାତ୍ରା କରନ୍ତି । ଝୁଲଣରେ ଠାକୁରମାନେ ଦୋଳରେ ବସି ଝୁଲନ୍ତି ।
ଦୋଳରୁ ଦୋଳି ବା ଦୋଳା ହୋଇପାରେ । ରଜରେ ଆମେ ଦୋଳିରେ ପହଁରୁ । ଦୋଳିରେ ଦୋଳାୟିତ ହେବାର ମଜ୍ଜା ନେଉ । ଗୀତ ଗାଉ : ରଜ ଦୋଳି ଗୀତ; ମନଛୁଆଁ ମନ ମତାଣିଆ ଗୀତ ।
ଆମର ରଜ ଦୋଳି ପରି ଠାକୁରମାନଙ୍କର ଦୋଳି ପର୍ବ ଅଛି । ଏହାକୁ ଝୁଲଣ କୁହାଯାଏ । ଝୁଲିବାରୁ ଝୁଲଣ । ଠାକୁରମାନେ ଦୋଳାରେ ବସି ଝୁଲନ୍ତି । ଭକ୍ତମାନେ ଝୁଲାନ୍ତି । ଏହା ଶ୍ରାବଣ ଶୁକ୍ଲପକ୍ଷ ଦଶମୀ ଠାରୁ ସାତଦିନ ବ୍ୟାପି ପାଳିତ ହୁଏ । ଜଗନ୍ନାଥ ଓଡ଼ିଆ ଜାତିର ଇଷ୍ଟ ଦେବତା; ତାଙ୍କ ସଂସ୍କୃତି ଓଡ଼ିଆର ସଂସ୍କୃତି; ତାଙ୍କଠି ଯାହା ନାହିଁ, ତାହା ଓଡ଼ିଆ ଘରେ ନାହିଁ । ଏଠି ଓଡ଼ିଆ କହିଲେ ଓଡ଼ିଆ ହିନ୍ଦୁ କଥାକୁ ବୁଝନ୍ତୁ । ଅବଶ୍ୟ ଆମେ ଜଗନ୍ନାଥଙ୍କୁ ହିନ୍ଦୁ କହୁନାହୁଁ କାରଣ ସେ ଜଗତର ନାଥ । ଶ୍ରାବଣ ଶୁକ୍ଲ ଦଶମୀରୁ ପ୍ରଥମେ ମନ୍ଦିରରୁ ଝୁଲଣ ଯାତ୍ରା ଆରମ୍ଭ ହୁଏ । ତା’ପର ଦିନ ଅର୍ଥାତ୍ ଏକାଦଶୀ ଠାରୁ ଏହା ସର୍ବତ୍ର ମଠ ମନ୍ଦିରରେ ପାଳିତ ହୁଏ । ଠାକୁରମାନଙ୍କୁ ସୁସଜ୍ଜିତ ଏବଂ ଚନ୍ଦନ ଚର୍ଚ୍ଚିତ କରି ଦୋଳାରେ ବସାଇ ଦିଆଯାଏ । ଦୋଳାର ରସି ବା ଫୁଲର ରସି ବାନ୍ଧି ଦୋଳିକୁ ମୃଦୁ ମୃଦୁ ହଲାଯାଏ ।
ଆମ୍ଭମାନଙ୍କର ଦୋଳି ଗୀତ ପରି ଠାକୁରମାନଙ୍କର ଦୋଳିଗୀତ ଅଛି । ଦୋଳିରେ ବସାଇ ଝୁଲାଇଲାବେଳେ ଭକ୍ତମାନେ ତାଙ୍କ ପାଇଁ ଏହି ଗୀତ ଗାଆନ୍ତି । ଏହି ଦୋଳି ଗୀତ ଭକ୍ତି ଏବଂ ପ୍ରେମ ରସର ଗୀତ; ଯୁଗଳବନ୍ଦୀର ଗୀତ; ପରମାନନ୍ଦରୁ ମହାନନ୍ଦକୁ ଗୀତ । ଏଥିରେ ସଖା, ସଖୀ ଏବଂ ସଖ୍ୟର ଭାବ ପ୍ରକଟିତ ହୁଏ ‘ରାଧାକୃଷ୍ଣ’ ରସ ପଂଚାମୃତକୁ ଆଧାର କରି ଏହାର ପ୍ରଚଳନ ଉପରେ ବିଶ୍ୱାସ କରାଯାଏ ।’ ଏଗୁଡ଼ିକ ଗୌଡ଼ିୟ ବୈଷ୍ଣବ ଧର୍ମ ଭାବଧାରା ଉପରେ ଲିଖିତ । ଦୋଳି ଗୀତର କେତୋଟି ପଂକ୍ତି ଏଠି ଅବତାରଣା କରାଗଲା :
ଆସଗୋ ପରାଣ ଆଳି, ଯମୁନା କୂଳରେ ଖେଳିବା ଦୋଳିଗୋ,
ସହି ସଙ୍ଗାତ ସକଳେ ମିଳି ସଜନୀ ଗୋ ।।
ଆସ ଗୋ ଶ୍ରୀମତୀ ରାଈ, ଆସ ଗୋ ପରାଣ ଲଳିତା ସହିଗୋ
ଦୋଳି ଖେଳିବା ମନ ମଜାଇ, ସଜନୀ ଗୋ ।।
ଆସ ବୀରାବୃନ୍ଦା ଦେବୀ, ଆସ ଚନ୍ଦ୍ରାବଳୀ ପ୍ରାଣ ବଲ୍ଲଭୀ ଗୋ,
ଆଜି ଦୋଳି ଖେଳେ ହେବା ଲୋଭୀ ସଜନୀ ଗୋ ।।
ରାଧା ସଂଗେ ବନମାଳୀ, ଝୁଲିବେ ଆମ୍ଭର ନେତ୍ର ସଂଖାଳି ଗୋ
ଆମ୍ଭେ ସର୍ବେ ଦେବା ହୁଳହୁଳି, ସଜନୀ ଗୋ ।।
କର୍ପୁର କୁଙ୍କୁମ ସଂଗେ, ବୋଳିବା ଚନ୍ଦନ ଯୁଗଳ ଅଙ୍ଗେ ଗୋ
ହସ ରସ ପରିହାସ ରଂଗେ ସଜନୀ ଗୋ ।।
ବାମେ ରାଇ ଶ୍ରୀ କିଶୋରୀ, ଦକ୍ଷିଣେ ମୋହନ ମୁରଲୀ ଧାରୀଯେ
ବସାଇଲେ ସର୍ବ ସହଚରୀ ସୁଜନ ହେ ।ା


