ମଠ, ମନ୍ଦିର ଉଚ୍ଛେଦ ମାମଲା : ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପାଇଁ ପରାମର୍ଶ

ନୂଆଦିଲ୍ଲୀ : ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ୭୫ ମିଟର ପରିଧିରେ ଥିବା ଐତିହ୍ୟ ସମ୍ପନ୍ନ ମଠ, ମନ୍ଦିର ଗୁଡ଼ିକର ଉଚ୍ଛେଦ ପ୍ରସଙ୍ଗକୁ ନେଇ ଆଜି ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି ଯେ ପୁରାତନ ମଠ ଓ ମନ୍ଦିର ଗୁଡ଼ିକ ବହୁତ ଗୁରୁତ୍ୱ ବହନ କରେ । ୪୦୦-୫୦୦ ବର୍ଷର ପ୍ରାଚୀନ ମଠଗୁଡ଼ିକୁ ଏଭଳି ଭାବେ ଉଚ୍ଛେଦ କରାଯାଇ ପାରିବ ନାହିଁ । ରାଜ୍ୟକୁ ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ମଠ, ମନ୍ଦିର ଗୁଡ଼ିକ ସୁରକ୍ଷିତ ରଖିବାକୁ ପଡ଼ିବ । ଐତିହାସିକ ସ୍ଥଳ ଗୁଡ଼ିକର ସଂରକ୍ଷଣ କରାଯିବା ଦରକାର । ଛାଟ ମନ୍ଦିର ଓ ମଠ ଶହ ଶହ ବର୍ଷ ଧରି ଅନେକ ଲୋକଙ୍କୁ ଜୀବିକା ପ୍ରଦାନ କରିଆସୁଛି । ତେଣୁ ମଠ ମନ୍ଦିର ଗୁଡ଼ିକର ଉଚ୍ଛେଦ କରିବା ପୂର୍ବରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଅନ୍ୟ ବରିଷ୍ଠ ପୁରୋହିତ ତଥା ପ୍ରଭାବିତ ହିତାଧିକାରୀମାନଙ୍କ ସହିତ ବିଚାର ଆଲୋଚନା କରିବା ପାଇଁ ଆଜି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । । ବିଚାରପତି ଅରୁଣ ମିଶ୍ର, ବିଚାରପତି ବିନୀତ ଶରଣ ଓ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ମାମଲାର ଶୁଣାଣି ହାଇଥିଲା । ଏହି ମାମଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅତିରିକ୍ତ ସତ୍ୟପାଠ ଆଧାରରେ ଆଜି ଖଣ୍ଡପୀଠ ଏଭଳି ଅସନ୍ତୋଷ ଝାଡିଥିଲେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉଚ୍ଛେଦ ପ୍ରସଙ୍ଗ ଉଦାହରଣ ଦେଇ ବାରାଣସୀରେ ସବୁକିଛି ବ୍ୟବସ୍ଥିତ ରୂପେ କରାଯାଇଥିବା ଖଣ୍ଡପୀଠ କହିଥିଲେ । ମଠ ମନ୍ଦିର ଗୁଡ଼ିକର ବିନା ସହମତିରେ ଉଚ୍ଛେଦ କରାଯାଇଛି ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦିଆଯାଇନି । ପ୍ରଭାବିତ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ କହିଛନ୍ତି । ଆବଶ୍ୟକସ୍ଥଳେ ଉଚ୍ଚ ସ୍ତରୀୟ କମିଟି ଗଠନ କରିବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ପୁରୀରେ ହୋଇଥିବା ଉଚ୍ଛେଦର ଷ୍ଟାଟସ୍ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ଅକ୍ଟୋବର ୨୨ରେ ମାମଲାର ବିସ୍ତୃତ ଶୁଣାଣି ପାଇଁ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଛନ୍ତି । ଆଜି ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା କହିଥିଲେ ଯେ ସହମତି ନିଆଯିବା ପରେ ମଠଗୁଡ଼ିକର ଉଚ୍ଛେଦ କରାଯାଇଥିଲା ଏବଂ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇଛି । ଆଇନ ଅନୁଯାୟୀ ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ଆଡଭାକେଟ୍ ଜେନେରାଲ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ । ଆମିକସ କ୍ୟୁରି ରଣଜିତ କୁମାରଙ୍କ ଦ୍ୱାରା ମଠଗୁଡ଼ିକର ଉଚ୍ଛେଦ କରାଯିବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା । ଶୁଣାଣି ସମୟରେ ଖଣ୍ଡପୀଠ ପୁଣି କହିଥିଲେ ଯେଉଁ ମଠରେ ଶିଖ୍ ଗୁରୁ ନାନକ ଦେବ ରହୁଥିଲେ, ତାହା ଉଚ୍ଛେଦ କରାଯାଇ ପାରିବ ନାହିଁ । ଅନ୍ୟପକ୍ଷରେ ମଙ୍ଗୁ ମଠର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଆବେଦନ କରାଯାଇଥିବା ବେଳେ ସୁପ୍ରିମକୋର୍ଟ ଏନେଇ କୌଣସି ଆଦେଶ ଜାରି କରିନାହାନ୍ତି । ଗତ ମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ପତ୍ର ଲେଖି ମଙ୍ଗୁ ମଠ ଉଚ୍ଛେଦ ନକରିବା ପାଇଁ ଅନୁରାଧ କରିଥିଲେ । ଏହାପରେ ସୁପ୍ରିମକାର୍ଟରେ ମଙ୍ଗୁମଠର ସ୍ଥିତାବସ୍ଥା ବଜାୟ ରଖିବାପାଇଁ ଆବେଦନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ