ମଣିପୁର ହିଂସା ପାଇଁ ଓଡ଼ିଶା ନାଗରିକ ସମାଜ ଓ ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ଶାନ୍ତି ସଦ୍‌ଭାବନା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତବର୍ଷ ହେଉଛି ଅହିଂସା, ସଦ୍‌ଭାବନା, ଭାଇଚାରା ଓ ଏକତାରେ ବାନ୍ଧି ହୋଇଥିବା ଦେଶ । ଏହି ଦେଶରେ ସବୁ ଧର୍ମର ସମନ୍ୱୟ ଓ ଏକତ୍ୱ ସମଗ୍ର ବିଶ୍ୱକୁ ଆକର୍ଷିତ କରିଥିଲା ବେଳେ ଗାନ୍ଧୀଙ୍କ ବିଚାର ଠାରୁ ଆମେ ଅନେକ ଦୂରରେ ଅଛୁ ବୋଲି ମଣିପୁର ହିଂସାରୁ ଜଣାପଡ଼େ । ବିଗତ ୩ ମାସ ଧରି ନିରନ୍ତର ହିଂସା, ବ୍ୟଭିଚାର, ସାମ୍ପ୍ରଦାୟିକତା ମନୋଭାବ ଭାରତବାସୀଙ୍କୁ ଲଜ୍ଜିତ କରିଥିବା ବେଳେ ମଣିପୁରଠାରେ ଜନ ଜୀବନକୁ ନଷ୍ଟଭ୍ରଷ୍ଟ କରିଚାଲିଛି । ଯେପରି ଶରୀରର ଗୋଟିଏ ଅଂଶରେ କ୍ଷତ ହେଲେ ସମଗ୍ର ଶରୀରକୁ ଯନ୍ତ୍ରଣା ଦେଇଥାଏ, ଠିକ୍ ସେହିଭଳି ମଣିପୁର ହିଂସା ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କୁ କଷ୍ଟ ଦେଇଚାଲିଛି । ଆମ୍ଭେମାନେ ଜଣେ ଜଣେ ଭାରତୀୟ ହିସାବରେ ମଣିପୁରଠାରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଓଡ଼ିଶାର ନାଗରିକ ସମୂହ, ବୁଦ୍ଧିଜୀଜୀ, ଛାତ୍ର ସଂଗଠନ ଓ ବିଭିନ୍ନ ବର୍ଗର ଲୋକମାନଙ୍କ ଦ୍ୱାରା ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସାମୂହିକ ପ୍ରାର୍ଥନା ସହ ଦୀପଦାନ କରାଯାଇଥିଲା । ବିଶିଷ୍ଟ ସ୍ତମ୍ଭକାର, ଭାରତ ନିର୍ବାଚନ ଆୟୋଗର ପୂର୍ବତନ ପରାମର୍ଶଦାତା ଡ. ଭଗବାନ ପ୍ରକାଶ, ବିଶିଷ୍ଟ ଗାନ୍ଧିବାଦୀ ସର୍ବୋଦୟ ନେତା ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ଓ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ. ଅରୁନ୍ଧତୀ ଦେବୀଙ୍କ ନିବେଦନକ୍ରମେ ବହୁ ସଂଖ୍ୟାରେ ନାଗରିକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଏହିଭଳି ସଦ୍‌ଭାବନା କାର୍ଯ୍ୟରେ ଭାଗ ନେଇ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କାମନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀଯୁକ୍ତ ଜଗଦାନନ୍ଦ, ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ, ରମାଦେବୀ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଡ. ସୁଶାନ୍ତ ପଟ୍ଟନାୟକ, ଗାନ୍ଧିବାଦୀ ପ୍ରହ୍ଲାଦ ସିଂ, ଖଦୀବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ସର୍ବଧର୍ମ ପ୍ରାର୍ଥନାକୁ ଶ୍ରୀ ସୋମ ଓ ବିକ୍ରମ ମହାପାତ୍ର ପରିଚାଳନା କରିଥିବା ବେଳେ ଦୀପଦାନ କାର୍ଯ୍ୟକ୍ରମକୁ ବିଷ୍ଣୁ ପ୍ରସାଦ ସ୍ୱାଇଁ, ପ୍ରଫେସର ରଘୁନାଥ ମଣ୍ଡଳ, ଇଂ ଦୀପକ ମହାନ୍ତି, ସୂର୍ଯ୍ୟ ସେଠୀ, ସରୋଜ ମାଝୀ, ରାକେଶ ବଳ, ରାଣି ମହାରଣା, ଅରୂପା ଗୌଡ଼, ପୂଜା ଡାକୁଆ ପ୍ରମୁଖ ସ୍ୱେଚ୍ଛାସେବୀମାନେ ପରିଚାଳନା କରିଥିଲେ । ଶେଷରେ ଜାତୀୟ ଯୁବ ପ୍ରକଳ୍ପର ଆବାହକ ଶ୍ରୀଯୁକ୍ତ ମଧୁସୂଦନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ